fbpx

ପ୍ରଫେଟ୍‌ ମହମ୍ମଦ ମନ୍ତବ୍ୟ ବିବାଦ: ରାଞ୍ଚିରେ ହିଂସା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ, ୮ ଗୁରୁତର ଆହତ

ରାଞ୍ଚି(ଓଡ଼ିଶା ଭାସ୍କର): ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଦେଶରେ ଚାଲିଛି ହିଂସା କାଣ୍ଡ। ତେବେ ଗତକାଲି ଦେଶରେ ବିଭିନ୍ନ ରାଜ୍ୟରେ ନୂପୁର ଶର୍ମାଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାବେଳେ ରାଞ୍ଚିରେ ଘଟିଛି ହିଂସାକାଣ୍ଡ। ଦେଶର ଏଭଳି ଉତ୍ତେଜନାପୂର୍ବକ ସ୍ଥିତିକୁ ନେଇ ସରକାର ଚିନ୍ତାରେ ଅଛନ୍ତି। ତେବେ ନୂପୁର ଶର୍ମାଙ୍କ ଗିରଫ ଦାବିକୁ ନେଇ ଦିନକୁ ଦିନ ପ୍ରତିବାଦ ବଢିଚାଲିଛି।

ସେହିପରି ଗତକାଲି ରାଞ୍ଚିରେ ହୋଇଥିବା ହିଂସାକାଣ୍ଡରେ ଦୁଇ ଜଣଙ୍କୁ ଗୁଳି ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ହିଁ ଦୁଇ ଜଣଙ୍କର ଆଜି ମୃତ୍ୟୁ ଘଟି ମିଳିଛି। ଦୁଇ ଜଣ ମୃତକ ମଧ୍ୟରୁ ଜଣଙ୍କର ନାମ ମୁଦ୍ଦସିର ବୋଲି ପରିଚୟ ମିଳିଛି। ତେବେ ଅନ୍ୟ ଜଣେ ମୃତକଙ୍କର ପରିଚୟ ମିଳିପାରି ନାହିଁ। ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ଗୁରୁତର ଆହତ ହୋଇଥିବା ୮ଜଣଙ୍କର ଚିକିତ୍ସା ଚାଲିଛି।

ସୂଚନାଥାଉକି, ଗତକାଲି ରାଞ୍ଚି ରାସ୍ତାରେ ବିକ୍ଷୋଭକାରୀମାନେ ନୂପୁର ଶର୍ମାଙ୍କ ବିରୋଧରେ ନାରାବାଜି କରିବା ସହ ନୂପୁରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। କ୍ରମେ ଏହି ବିରୋଧ ପ୍ରଦର୍ଶନ ହିଂସା କାଣ୍ଡରେ ପରିବର୍ତ୍ତନ ହୋଇଥିଲା। ଏହି ପ୍ରଦର୍ଶନ ଉଗ୍ର ରୂପ ନେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲାଠି ଚାର୍ଜ କରିବା ସହ ଫାଙ୍କା ଗୁଳି ଚାଳନା ମାଧ୍ୟ କରିଥିଲା। ପ୍ରଦର୍ଶନକାରୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ଉପଦ୍ରବୀମାନଙ୍କ ପଥରମାଡ଼ରେ ପୋଲିସ କର୍ମଚାରୀମାନେ ଆହତ ହୋଇଥିଲେ। ଶେଷରେ ପୋଲିସ ଭିଡ଼କୁ ନିୟନ୍ତ୍ରଣକୁ ଆଣିଥିଲା।

ତେବେ ସ୍ଥାନୀୟ ପ୍ରଶାସନ ସମସ୍ତ ଅଞ୍ଚଳରେ କର୍ଫ୍ୟୁ ଲଗାଇବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରିଥିଲା। ବର୍ତ୍ତମାନ ସେଠାରେ ୧୪୪ ଧାରା ଲାଗୁ କରାଯାଇଛି। ସେହିପରି ଉତ୍ତରପ୍ରଦେଶରେ ଏହି ଘଟଣାରେ ଏପର୍ଯ୍ୟନ୍ତ ୧୩୬ଜଣଙ୍କୁ ଗିରଫ କରାଯାଇଛି।

Get real time updates directly on you device, subscribe now.