fbpx

ଖରାଛୁଟି ପରେ ନୂଆ ଶିକ୍ଷାବର୍ଷ: ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିୟମାବଳୀ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଚାଲିଛି ଖରାଛୁଟି । ଖରାଛୁଟି ସରିବା ପରେ କିଭଳି ଭାବେ ପାଠ ପଢା ହେବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ବା ଓସେପା ପକ୍ଷରୁ ନିୟମାବଳୀ ଜାରି ହୋଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି ।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଠିକଣା ଢଙ୍ଗରେ ଶିକ୍ଷାଦାନ ଆରମ୍ଭ କରିବାକୁ ନିୟମାବଳୀ ଦିଆଯାଇଛି । ଶତପ୍ରତିଶତ ପାଠ୍ୟଖସଡ଼ା ସାରିବା ପାଇଁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ଆଲୋଚନା କରିବେ । ବିଦ୍ୟାର୍ଥୀଙ୍କୁ ସଠିକ୍ ଶିକ୍ଷା ପ୍ରଦାନ କରିବା ଦିଗରେ ଯୋଜନା ପ୍ରସ୍ତୁତ କରିବେ । କରୋନା ସମୟର କ୍ଷତି ଭରଣା ପାଇଁ ପୁସ୍ତକ ସହ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି ।’

ସବୁ ବିଦ୍ୟାର୍ଥୀ ଯେଭଳି ଉଭୟ ପୁସ୍ତକ ପାଇବେ, ସେ ଦିଗରେ ଧ୍ୟାନ ଦେବାକୁ କୁହାଯାଇଛି । ଶ୍ରେଣୀ ଓ ବିଷୟଭିତ୍ତିକ ପାଠପଢ଼ା ସମୟ ସାରଣୀ ଶ୍ରେଣୀଗୃହରେ ଲାଗିବ । ଏହା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ ହେବ । ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରିଥିବା ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରୟାସ କରାଯିବ । ପୃଥକ ଭାବେ ଅତିରିକ୍ତ ପାଠ ପଢ଼ାଯିବ । ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ପାଠପଢ଼ାରେ ହୋଇଥିବା କ୍ଷତି ଭରଣା ପାଇଁ ଶିକ୍ଷକମାନେ ସ୍ୱତନ୍ତ୍ର ଯୋଜନା କରିବେ । ସିଆରସିସିମାନେ ନିଜ କ୍ଲଷ୍ଟରରେ ପାଠପଢ଼ା ଉପରେ ତୀକ୍ଷ୍ମ ନଜର ରଖିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ । ଏ ଦିଗରେ ପଦକ୍ଷେପ ନେବାକୁ ଡିଇଓ ଓ ଡିପିସିଙ୍କୁ ନିର୍ଦ୍ଦେଶ ବୋଲି ବୋଲି ଚିଠିରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.