fbpx

ବଜ୍ରପାତରେ ଭାଇ, ଭଉଣୀ, ଟ୍ରାକ୍ଟର ଡ୍ରାଇଭର ଓ ୪ ଗାଈଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ମୃତ୍ୟୁ କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ । ତେବେ ବଜ୍ରପାତ ଘଟି ଚାଲିଯାଇଛି ୩ ଜଣଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରୁ ଆସିଛି ଏପରି ଏକ ଦୁଃଖଦ ଖବର । ଚାଷ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଆସିଥିଲା ବଜ୍ରପାତ ପରି ମହାବିପତ୍ତି । ଫଳରେ ଘଟଣାସ୍ଥଳରେ ଭାଇ, ଭଉଣୀ ଓ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।

ଖବର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡ଼ା ପଞ୍ଚାୟତ ପତ୍ରିମାଲ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଜମିରେ ଚାଷ କରୁଥିବା ବେଳେ ଆକସ୍ମିକ ବଜ୍ରପାତ ଆସିଥିଲା । ଫଳରେ ଭାଇ ଧନସିଂ ଅନ୍ତି (୪୨), ଭଉଣୀ ରାଇମାନି ଗଣ୍ଡ ଓ ଟ୍ରାକ୍ଟର ଡ୍ରାଇଭର ଅମୃ ନାୟକ (୨୫) ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ତେବେ ଏହି ବଜ୍ରପାତରେ ୪ଟି ଗାଈ ମୃତ୍ୟୁବରଣ କରିଛନ୍ତି ।

ତେବେ ଭାଇ ଧନସିଂ ଭଉଣୀ ଘରକୁ ଚାଷକାର୍ଯ୍ୟରେ ସହଯୋଗ କରିବା ପାଇଁ ସୁଦୂର ଛତିଶଗଡ଼ରୁ ଧାଇଁ ଆସିଥିଲେ । ମାତ୍ର ଅଧାବାଟରେ ମୃତ୍ୟୁ ଏମିତି ଜଗି ବସିଥିଲା ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ସହ ଘଡ଼ଘଡ଼ି ମାଡ଼ି ଆସିଥିଲା । ଫଳରେ ଜମିରେ କାମ ଚାଷ କରୁଥିବା ବେଳେ ବଜ୍ରପାତ ଯୋଗୁଁ ତିନିଜଣ ଯାକ ତଳେ ପଡ଼ିଯାଇଥିଲେ । ପରେ ତିନିଜଣଙ୍କର ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଥିଲା ।

Get real time updates directly on you device, subscribe now.