ମୁଜଫରପୁର: ସେନାରେ ଚାରି ବର୍ଷିଆ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାର ବିରୋଧ ଆରମ୍ଭ ହୋଇ ଯାଇଛି। ଏହି ବିରୋଧ ବିହାରରୁ ଆରମ୍ଭ ହୋଇଛି। ରାଜ୍ୟର ବକ୍ସରରେ ଯୁବକମାନେ ଟ୍ରେନ ଉପରକୁ ପଥରମାଡ କରିଥିବା ବେଳେ ମୁଜଫରପୁରରେ ସଡକକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ମାତ୍ର ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତି ଦେବା ରୋଜଗାର ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି।
ବୁଧବାର ସକାଳେ ବକ୍ସରରେ ଆକ୍ରୋଶିତ ଯୁବକମାନେ ପାଟନା ଯାଉଥିବା ପାଟଳିପୁତ୍ର ଏକ୍ସପ୍ରେସ ଉପରକୁ ପଥରମାଡ କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଦେଖି କାଶୀ ପାଟନା ଜନଶତାବ୍ଦୀ ଏକ୍ସପ୍ରେସ ପ୍ରାୟ ୧୮ ମିନିଟ୍ ପ୍ଲାଟଫର୍ମରେ ଅଟକି ରହିଥିଲା। ଏଥିରେ ରେଳ କର୍ତ୍ତୃପକ୍ଷ ଏବଂ ଯାତ୍ରୀଙ୍କୁ ହଇରାଣର ସମ୍ମୁଖୀନ ହେବାକୁ ପଡିଛି। ମୁଜଫରପୁର ରେଲଓ୍ଵେ ଷ୍ଟେସନ ନିକଟ ଚକ୍କର ଛକରେ ଟାୟାର ଜାଳି ରାସ୍ତା ଜାମ କରିଛନ୍ତି। ବିହାରର ଅନେକ ଅଞ୍ଚଳରେ ଏମିତି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଜାତୀୟ ରାଜପଥ ୨୮କୁ ଅବରୋଧ କରାଯାଇଛି। ପୋଲିସ ପ୍ରଶାସନ ଯୁବକମାନଙ୍କୁ ବୁଝାଇବାକୁ ଉଦ୍ୟମ ଚଳାଇଛନ୍ତି। ଯୁବକଙ୍କ କହିବା କଥା ସେନାରେ ମାତ୍ର ୪ ବର୍ଷ ନିଯୁକ୍ତି ଦେଇ ରୋଜଗାର ଅଧିକାରର ହନନ କରାଯାଉଛି।
ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ତିନି ସେନାର ମୁଖ୍ୟ ଦିଲ୍ଲୀରେ ଅଗ୍ନିପଥ ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନା ଆଧାରରେ ୧୭ ବର୍ଷ ୫ ମାସରୁ ଅଧିକ ଏବଂ ୨୧ ମାସ ପର୍ୟ୍ୟନ୍ତ ବୟସର ଯୁବକଙ୍କୁ ଅଗ୍ନିବୀର ହିସାବରେ ଭର୍ତ୍ତି କରାଯିବ। ସେମାନଙ୍କୁ ଚାରି ବର୍ଷ ପାଇଁ ଚାକିରି ମିଳିବ। ପରେ ନିୟମିତ କ୍ୟାଡର ପାଇଁ ଆବେଦନ କରି ପାରିବେ। ଯୋଗ୍ୟତା ଏବଂ ଦକ୍ଷତା ଅନୁଯାୟୀ ୨୫ ପ୍ରତିଶତଙ୍କୁ କ୍ୟାଡର ନିଯୁକ୍ତି ମିଳିବ। ଅଗ୍ନିବୀର ଭାବେ କାମ କରିବା ପରେ ସେବା ନିଧି ପ୍ୟାକେଜରେ ଯବାନଙ୍କୁ ୧୧ ଲକ୍ଷ ୭୦ ହଜାର ଟଙ୍କା ମିଳିବ।