fbpx

ରଣଜୀ ଟ୍ରଫିରେ ଚମକିଲେ କ୍ରୀଡା ମନ୍ତ୍ରୀ ମନୋଜ ତିଓ୍ଵାରୀ, ସେମି ଫାଇନାଲରେ ମାରିଲେ ଶତକ

ନୂଆଦିଲ୍ଲୀ: ରଣଜୀ ଟ୍ରଫିର ନକଆଉଟ୍ ପର‌୍ୟ୍ୟାୟରେ ଦମଦାର ପ୍ରଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ କ୍ରୀଡା ମନ୍ତ୍ରୀ ମନୋଜ ତିଓ୍ଵାରୀ। ମଧ୍ୟ ପ୍ରଦେଶ ବିପକ୍ଷରେ ଖେଳାଯାଉଥିବା ସେମି ଫାଇନାଲ୍ ମୁକାବିଲାରେ ଶତକ ଅର୍ଜନ କରି ଦଳକୁ ମୁସ୍କିଲ ସ୍ଥିତିରୁ ବାହାର କରିଛନ୍ତି। ଏହା ପୂର୍ବରୁ କ୍ଵାର୍ଟର ଫାଇନାଲରେ ସେ ଝାଡଖଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ୭୩ ଏବଂ ଦ୍ଵିତୀୟ ଇନିଂସରେ ୧୩୬ ରନର ଇନିଂସ ଖେଳିଥିଲେ। ସେମି ଫାଇନାଲରେ ସେ ୨୧୧ ବଲରୁ ୧୦୨ ରନ କରି ଆଉଟ୍ ହୋଇଛନ୍ତି। ଏହା ତାଙ୍କର ୨୯ତମ ପ୍ରଥମ ଶ୍ରେଣୀ ଶତକ। ମନୋଜ ତିଓ୍ଵାରୀଙ୍କ ଶତକ ଦମରେ ପଶ୍ଚିମବଙ୍ଗ ମଧ୍ୟ ପ୍ରଦେଶର ପ୍ରଥମ ଇନିଂସ ସ୍କୋର ପାଖାପାଖି ପହଞ୍ଚିବାରେ ସଫଳ ହୋଇଛି।

 

ଏକଦା ପଶ୍ଚିମବଙ୍ଗ ୫୪ ରନରେ ୫ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ମନୋଜ ତିଓ୍ଵାରୀ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ। ସେ ଶାହବାଜ ଅହମ୍ମଦଙ୍କ ସହ ଶତକୀୟ ଭାଗିଦାରୀ ଯୋଡିଥିଲେ। ଦୁଇ ବ୍ୟାଟସମ୍ୟାନ ଷଷ୍ଠ ଓ୍ଵିକେଟରେ ୧୮୩ ରନ ଯୋଡିଥିଲେ। ଏହି ଯୋଡିକୁ ଭାଙ୍ଗିଥିଲେ ସାରାଂଶ ଜୈନ। ଶାହବାଜ ୧୧୬ ରନ କରି ଅପରାଜିତ ଥିବା ବେଳେ ନିମ୍ନ କ୍ରମରେ ବ୍ୟାଟିଂ ବିପର‌୍ୟ୍ୟୟ ଭୋଗି ପଶ୍ଚିମବଙ୍ଗ ୨୭୩ ରନରେ ଅଲଆଉଟ୍ ହୋଇଛି। ମଧ୍ୟ ପ୍ରଦେଶ ପ୍ରଥମ ଇନିଂସରେ ୩୪୧ ରନ କରିଛି।

ପଶ୍ଚିମବଙ୍ଗ ପକ୍ଷରୁ ତିଓ୍ଵାରୀ ଏବଂ ଅହମ୍ମଦଙ୍କ ବ୍ୟତୀତ ବାକି ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଅଭିମନ୍ୟୁ ଈଶ୍ଵରନ ୨୨ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇଥିଲେ। ଦଳର ଆଠ ବ୍ୟାଟସମ୍ୟାନ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ। ମଧ୍ୟ ପ୍ରଦେଶ ଓ୍ଵିକେଟ୍ କିପର ହିମାଂଶୁ ମନ୍ତ୍ରୀଙ୍କ ୧୬୫ ରନ ଦମରେ ପ୍ରଥମ ଇନିଂସରେ ୩୪୧ ରନ କରିଛି।

 

Get real time updates directly on you device, subscribe now.