ଗଞ୍ଜାମ: ଦିନକୁ ଦିନ ଦେଶ ତଥା ରାଜ୍ୟରେ ବଢୁଛି ଅପରାଧ । ବୋମାମାଡ, ଗୁଳିମାଡ ସହିତ ଅପହରଣ ଏବଂ ଦୁଷ୍କର୍ମ ଭଳି ଘଟଣା ଏବେ ବିଭିନ୍ନ ସ୍ଥାନରେ ବ୍ୟାପିଚାଲିଛି । ସେହିଭଳି ଏକ ଘଟଣା ଦେଖିବାକୁ ମଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ । ଭାଇ ଗୁଳି ମାଡରେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୀରେନ ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗ୍ରାମରେ । ପାରିବାରିକ କଳହକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଲାଗିଛି ଯୁଦ୍ଧ । ତିକ୍ତତା ଏତେ ବଢିଛି ଯେ, ଶେଷରେ ଘଟଣା ଗୁଳିମାଡ ପର୍ଯ୍ୟନ୍ତ ଯାଇଛି । ବୀରେନ ଘରେ ଶୋଇଥିବା ବେଳେ ହଠାତ ଘରେ ପଶି ତାଙ୍କୁ ଗୁଳି କରିଛି ଦାଦା ପୁଅ ଭାଇ । ଏହି ଗୁଳିମାଡରେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୀରେନ । ଖଲ୍ଲିକୋଟ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ ପାରିବାରିକ କଳହ ଏବଂ ଜମିବାଡି ବିବାଦ ହିଁ ଏହି ଗୁଳିକାଣ୍ଡର କାରଣ ବୋଲି ପୋଲିସ କହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ବୀରେନଙ୍କ ଦେହରେ ୪ ରାଉଣ୍ଡ ଗୁଳି ବାଜିଥିବା ପୋଲିସ ସୂଚନା ଦେଇଛି । ତେବେ ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ ।