ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିଲଙ୍ଗରେ ରହୁଥିବା ମିନାକ୍ଷୀ ବେହେରା ଯୌତୁକ ନିର୍ଯାତନାରେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମିନାକ୍ଷୀ ୬ ଜୁନ ୨୦୨୧ ମସିହାରେ ଚନ୍ଦନପୁରର କାଶୀନାଥ ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଏହି ବିବାହରେ ମିନାକ୍ଷୀଙ୍କ ପରିବାର ପକ୍ଷରୁ ୧୫ ଲକ୍ଷ ଟଙ୍କାର ଯୌତୁକ ଦିଆ ଯାଇଥିଲେ ମଧ୍ୟ ଆହୁରି ୫ ଲକ୍ଷ ଟଙ୍କା ଆଣିବା ପାଇଁ ଦାବି କରୁଥିଲେ ମିନାକ୍ଷୀଙ୍କ ଶାଶୁ ।
କିନ୍ତୁ ଏହାକୁ ବିରୋଧ କରିବାରୁ ଶାଶୁଘର ଲୋକେ ମିନାକ୍ଷୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା କଥା ମିନାକ୍ଷୀ ନିଜ ପରିବାର ଲୋକଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । ତେବେ ଗତକାଲି ସକାଳେ ମିନାକ୍ଷୀ ନିଜର ମାଉସୀଙ୍କୁ ଫୋନ କରି ଶାଶୁଘରୁ ନେଇଯିବା ପାଇଁ କହିଥିଲେ । କିନ୍ତୁ ଦିନ ୧ଟା ସମୟରେ ମିନାକ୍ଷୀଙ୍କ ଶାଶୁଘର ଲୋକ ମିନାକ୍ଷୀଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ଯୌତୁକ ଦାବିରେ ଶାଶୁଘର ଲୋକେ ମିନାକ୍ଷୀଙ୍କ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେଇଛନ୍ତି ବୋଲି ମିନାକ୍ଷୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପ୍ରମାଣକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଘରେ ଲଗାଯାଇଥିବା ସିସିଟିଭିକୁ ଶାଶୁଘର ଲୋକେ ନଷ୍ଟ କରି ଦେଇଛନ୍ତି । ଅପରପକ୍ଷେ ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି ଦାବି କରିଛନ୍ତି ।
ତେବେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୀନାକ୍ଷୀଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଜରିଆରେ ଘଟଣାର ଯାଞ୍ଚ କରାଯାଉଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୋଲିସ ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି ।