fbpx

(Video) କଟକରେ ‘ଅଗ୍ନିପଥ’ ନିଆଁ: ବିକ୍ଷୋଭକାରୀଙ୍କୁ ପୋଲିସର ଲାଠିମାଡ଼

କଟକ(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତିକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଓଡ଼ିଶା । ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି । କଟକ କ୍ୟାଣ୍ଟନମେଣ୍ଟ ରୋଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଆର୍ମି ରିକୃଟମେଣ୍ଟ ଅଫିସ ଆଗରେ ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀ । ରିଙ୍ଗରୋଡରେ ରାସ୍ତା ଅବରୋଧ କରୁଥିବା ବେଳେ ବିକ୍ଷୋଭକାରୀଙ୍କୁ ପୋଲିସ ଲାଠିମାଡ଼ ମାରିଥିବା ଜଣାପଡିଛି ।

ଅନ୍ୟପଟେ ବିହାର ଓ ଉତ୍ତରପ୍ରଦେଶରେ ପୁଣି ଆନ୍ଦୋଳନକାରୀମାନେ ଟ୍ରେନ୍ ଜାଳିଦେଇଛନ୍ତି  । ବିହାର ସମସ୍ତିପୁର ଓ ଲଖିସରାୟ ରେଳ ଷ୍ଟେସନରେ ଟ୍ରେନ୍ ଜାଳିଦେଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶ ବଲିୟା ଷ୍ଟେସନରେ ବି ବିକ୍ଷୋଭକାରୀ ଟ୍ରେନ୍ ପୋଡ଼ି ଦେଇଛନ୍ତି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା ବଲ୍ଲଭବଗଡ଼ରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ।

ତେବେ ଅଗ୍ନିପଥ ଯୋଜନାରେ ସେନାବାହିନୀରେ ନିଯୁକ୍ତିକୁ ବିରୋଧ କରି ଏହି ପ୍ରଦର୍ଶନ ଜାରି ରହିଛି । ଅଗ୍ନିପଥ ଯୋଜନାକୁ ବିରୋଧ କରି ଗୁରୁବାର ଅନେକ ରାଜ୍ୟରେ ଯୁବକମାନେ ପ୍ରଦର୍ଶନ କରିଥିଲେ । ବିଭିନ୍ନ ସ୍ଥାନରେ ରେଳ ରୋକ ସାଙ୍ଗକୁ ଅଗ୍ନିକାଣ୍ଡ ଘଟାଇଥିଲେ । ବିରୋଧ ପ୍ରଦର୍ଶନକୁ ନଜରରେ ରଖି ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବା ପାଇଁ ବୟସସୀମାକୁ କେନ୍ଦ୍ର ସରକାର ୨୧ରୁ ୨୩କୁ ବୃଦ୍ଧି କରିଛନ୍ତି । ବିହାରରେ ଚାଲିଥିବା ହିଂସକ ପ୍ରଦର୍ଶନ ମଧ୍ୟରେ ବିଦ୍ୟାର୍ଥୀମାନେ ଜମ୍ମୁତବୀ ଗୁଆହାଟି ଏକ୍ସପ୍ରେସ୍ ଟ୍ରେନ ନିଆଁ ଲଗାଇ ଦେଇଛନ୍ତି । ସୂଚନା ମୁତାବକ ଟ୍ରେନର ଦୁଇଟି ବଗି ଜଳି ପାଉଁଶ ହୋଇଯାଇଛି । ସେହିପରି ବିହାରର ସମସ୍ତିପୁରାରେ ବିହାର ସମ୍ପର୍କ କ୍ରାନ୍ତି ଟ୍ରେନକୁ ଅଟକାଇ ପ୍ରବଳ ପଥର ମାଡ଼ କରିଥିଲେ । ହିଂସାକ ବିରୋଧ ପ୍ରଦର୍ଶନକୁ ନଜରରେ ରଖି ୨୨ଟି ଟ୍ରେନକୁ ବାତିଲ କରାଯାଇଛି ବୋଲି ସୂଚନା ମିଳିଛି ।

 

Get real time updates directly on you device, subscribe now.