ପୁରୀ, (ଭାସ୍କର ନ୍ୟୁଜ୍) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଖେଇ ଆସୁଥିବାବେଳେ ଶ୍ରୀନହର ସମ୍ମୁଖସ୍ଥ ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ବଡ଼ ପୋଟଳ ଉଠିବା ପରେ ୩ ରଥରେ କଇଁଚି ବାଡ଼ିଆ କାମ ଶେଷ ହୋଇଛି । ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରି କରୁଛନ୍ତି । ରଥର ପୋଟଳ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ତେର ପରସ୍ତରୁ ୧୨ଟିର କାମ ଶେଷ ହୋଇଛି । ଆଗକୁ କେବଳ ପାରାଭାଡ଼ି ପ୍ରସ୍ତୁତ କରାଯିବ । ୩ ରଥର ଚାରିନାହାକା ବାନେ୍ଧଣୀ ପାଇଁ କଇଁଚି ରଥରେ ଫିଟିଂ କରାଯାଇଛି । ରଥରେ କଣଫାଉଡ଼ା ଲାଗୁଛି ।
ସେହିପରି ଗୟଳସେଥିରେ ପଟାବାଡ଼ିଆ ଆରମ୍ଭ କରାଯାଇଛି । ରଥରେ ସୌନ୍ଦର୍ଯ୍ୟକରଣ ପାଇଁ ରଙ୍ଗକାର୍ଯ୍ୟ ଆରମ୍ଭ ହୋଇଯାଇଛି । ରଥର ଗୁଜ, ଚକ ଓ ଦଣ୍ଡାରେ ପ୍ରାଇମର ଦିଆଯାଉଛି । ଚିତ୍ରକରମାନେ ପାଶ୍ୱର୍ଦେବତାଙ୍କ ପ୍ରତିମୂର୍ତ୍ତିରେ ରଙ୍ଗଦେବା ଆରମ୍ଭ କରିଛନ୍ତି । ରୂପକାର ସେବକମାନେ ରଥର ବିଭିନ୍ନ ଅଂଶ ଖୋଦେଇ କରୁଛନ୍ତି । ଦର୍ଜୀସେବକ କନାମଣ୍ଡଣୀ ଚାଲୁ ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ ଶାଳରେ କମାରସେବକମାନେ ଗୋଡ଼ିଛାଲ କଣ୍ଟା, ବାଗିଆ କଣ୍ଟା ତିଆରିରେ ବ୍ୟସ୍ତ ରହିଛନ୍ତି ।