fbpx

ବିଶ୍ୱ ଯୋଗ ଦିବସ, ଓଡ଼ିଶା ୩ଟି ସ୍ଥାନରେ ଉପସ୍ଥିତ ରହିବେ ତିନି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି ଅମୃତ ମହୋତ୍ସବ ସ୍ୱର୍ଣ୍ଣିମ ଦିବସ ଅବସରରେ ପାଳନ ହେବାକୁ ଯାଉଛି ବିଶ୍ୱ ଯୋଗ ଦିବସ । ଆନ୍ତର୍ଜାତିକ ଯୋଗ ଦିବସରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶର ପ୍ରତ୍ୟେକ ବ୍ଲକ, ପଞ୍ଚାୟତ ଓ ଗାଁର ବିଭିନ୍ନ ସ୍ଥାନରେ ଯୋଗ ପାଳନ କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ପ୍ରମୁଖ ୭୫ଟି ଐତିହାସିକ ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଓଡିଶାର ୩ଟି ସ୍ଥାନ ଏହି ତାଲିକାରେ ସାମିଲ ଅଛି । ପୁରୀରେ କେନ୍ଦ୍ର ଭାରୀ ଉଦ୍ୟୋଗୀ ମନ୍ତ୍ରୀ ଡ. ମହେନ୍ଦ୍ରନାଥ ପାଣ୍ଡେ, କୋଣାର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଖିଚିଂ(ମୟୂରଭଂଜ)ରେ କେନ୍ଦ୍ର ଆଦିବାସୀକଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ କାର୍ଯ୍ୟକ୍ରମରେ ସାମିଲ ରହିବେ ।

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିମାଚଳ ପ୍ରଦେଶର କାଙ୍ଗ୍ରା ଫୋର୍ଟରେ ଉପସ୍ଥିତ ରହି ଯୋଗ କରିବେ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ବିଶ୍ୱକୁ ଯୋଗ ଉପହାର ଦେବାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ସୁସ୍ଥ ଦେଶ ଓ ବିଶ୍ୱ ଗଠନ କରିବା ଲାଗି ମୋଦି ସରକାର ସଦାସର୍ବଦା ନୂଆ ଢ଼ାଂଚା ଓ ନୂଆ ପ୍ରୟାସ କରିଥାନ୍ତି । ସମଗ୍ର ବିଶ୍ୱକୁ ଭାରତବର୍ଷର ସବୁଠୁ ବଡ଼ ଅବଦାନ ହେଉଛି “ଯୋଗ ଶିକ୍ଷା” । ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଏକାଗ୍ରତା ପାଇଁ ଯୋଗ ହିଁ ଏକମାତ୍ର ମାଧ୍ୟମ । ୨୦୦୦ବର୍ଷ ପୂର୍ବରୁ ପତଞ୍ଜଳୀ ଋଷି ଯୋଗର ଉପକାରିତା ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ । ଏହି ଅବସରରେ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.