ଦିଲ୍ଲୀ ଯିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, କାଲି ନାମାଙ୍କନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଯିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବରରୁ ବିମାନ ‌ଯୋଗେ ଦିଲ୍ଲୀରେ ପହଂଚିବା ପରେ ସେଠାରୁ ସେ ସିଧାସଳଖ ଓଡ଼ିଶା ଭବନ ଆସିବେ। ଓଡ଼ିଶା ଭବନରେ ସେ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ । ନାମାଙ୍କନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଉପସ୍ଥିତ ରହିବେ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବିଜେଡି । ଅନ୍ୟପଟେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି ।

ତେବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଯୋଗାଇ ଦିଆଯାଇଛି ଜେଡ୍‌ ପ୍ଲସ୍‌ ସୁରକ୍ଷା । କେନ୍ଦ୍ର ସରକାର ତାଙ୍କ ସୁରକ୍ଷାକୁ ବଢ଼ାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶ୍ରୀମତୀ ମୁର୍ମୁ ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ତଥା ଦୁଇ ଦିନ ଓଡ଼ିଶା ଭବନରେ ରହିବେ। ନାମାଙ୍କନପତ୍ର ଦାଖଲ କରି ସାରିବା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସମ୍ଭାବନା ରହିଛି । ହେଲେ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏଥି ପୂର୍ବରୁ ଆଜି ଓଡ଼ିଶା ଭବନରେ ଶ୍ରୀମତୀ ମୁର୍ମୁ ରହିବା ବ୍ୟବସ୍ଥାର ତଦାରଖ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି ଓ କିଛି ବରିଷ୍ଠ ଅଧିକାରୀ ଓଡ଼ିଶା ଭବନରେ ଆସି ପହଞ୍ଚିଛନ୍ତି। ଓଡ଼ିଶା ଭବନରେ ରହିବା ପାଇଁ କି ଭଳି ବ୍ୟବସ୍ଥା ରହିଛି ସେ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡି ଓଡ଼ି‌‌ଶା ଭବନ ଅଧିକାରୀମାନଙ୍କ ଆଲୋଚନା କରିଛନ୍ତି।