ନୂଆଦିଲ୍ଲୀ: ଦେଶରେ ଯଦି କେହି ପରିବାର କୌଣସି କାର ନେବାକୁ ଯାଉଛନ୍ତି ତେବେ ପ୍ରଥମେ କାରର ସେଫ୍ଟୀ ଫିଚର୍ସ ବିଷୟରେ ନିଶ୍ଚୟ ଧ୍ୟାନ ଦିଅନ୍ତି । କାରଣ ସବୁଠୁ ପ୍ରଥମେ ସୁରକ୍ଷା ହିଁ ଜରୁରୀ ହୋଇଥାଏ । ତେବେ ଏଣିକି କାରର ସୁରକ୍ଷା ରେଟିଂ ଦେଖି କାର କିଣିବା ସହଜ ହେବ । କାରଣ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଶୁକ୍ରବାର ଭାରତ-ଏନସିପି(ନ୍ୟୁ କାର ଆସେସମେଣ୍ଟ ପ୍ରୋଗ୍ରାମ) ଆରମ୍ଭ କରିବା ପାଇଁ ଡ୍ରାଫ୍ଟ ନୋଟିଫିକେଶନକୁ ମଞ୍ଜୁରୀ ଦେଇଛନ୍ତି । ଏହା ଅନୂଯାୟୀ କାରକୁ କ୍ରାସ୍ ଟେଷ୍ଟିଂ ମାଧ୍ୟରେ ଏହାର ପ୍ରଦର୍ଶନ ଆଧାରରେ ୧ରୁ ୫ ଷ୍ଟାର ରେଟିଂ ଦିଆଯିବ ।
ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ-ଏନସିଏପି ଏକ ଉପଭୋକ୍ତା କେନ୍ଦ୍ରିତ ମଞ୍ଚ ହେବ, ଯାହା ଗ୍ରାହକଙ୍କୁ ଷ୍ଟାର ରେଟିଂ ଆଧାରରେ ସୁରକ୍ଷିତ କାରର ଚୟନ କରିବା, ସୁରକ୍ଷିତ ବାହାନ ନିର୍ମାଣ କରିବା ସହ ଭାରତରେ ବାହାନ ନିର୍ମାତାଙ୍କ ମଧ୍ୟରେ ପ୍ରତିଯୋଗିତାକୁ ବୃଦ୍ଧି କରିବ ଏବଂ ନୂଆ କାର ମଡେଲରେ ବିଭିନ୍ନ ମାନଦଣ୍ଡ ଆଧାର ଉପରେ ଉଚ୍ଚ ସୁରକ୍ଷା ସ୍ତରକୁ ସାମିଲ କରିବାର ବିକଳ୍ପ ଯୋଗାଇବ ।
କେନ୍ଦ୍ରୀ ମନ୍ତ୍ରୀ କହିଛନ୍ତି ଯେ କ୍ରାସ ଟେଷ୍ଟ ଆଧାରରେ ଭାରତୀୟ କାରର ଷ୍ଟାର ରେଟିଂ କାରରେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଭାରତୀୟ ଅଟୋମୋବାଇଲ ରପ୍ତାନୀକୁ ବୃଦ୍ଧି କରିବାରେ ବହୁତ ଜରୁରୀ ହେବ । ଭାରତରେ ଏନସିଏପି ଟେଷ୍ଟ ପ୍ରୋଟୋକଲ ବର୍ତ୍ତମାନର ନିୟମରେ ଯୋଡ଼ା ଯିବ । ଗଡ଼କରୀ ଆହୁରି କହିଛନ୍ତି ଯେ ଭାରତ-ଏନସିଏପି ଭାରତକୁ ଦୁନିଆରେ ୧ ନମ୍ବର ଅଟୋମୋବାଇଲ ହବ୍ ତିଆରି କରିବା ଏବଂ ଉଦ୍ୟୋଗକୁ ଆତ୍ମନିର୍ଭର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇବ ।
ଏହି ପ୍ରୋଗ୍ରାମ ଅଧୀନରେ,ବାହନ ନିର୍ମାତାମାନେ ସୁରକ୍ଷା ଟେଷ୍ଟିଂ ଆସେସମେଣ୍ଟ ପ୍ରୋଗ୍ରାମ୍ ରେ ଭାଗ ନେବା ପାଇଁ ପ୍ରୋତ୍ସାହିତ କରାଯିବ । ଯାହାଫଳରେ ନୂତନ କାର ମଡେଲରେ ଉଚ୍ଚ ନିରାପତ୍ତା ସ୍ତର ଅନ୍ତର୍ଭୂକ୍ତ କରାଯାଇପାରିବ । ଏହା ସହ ଏହି ପ୍ରୋଗ୍ରାମର ଉଦ୍ଦେଶ୍ୟ ବୟସ୍କ ଏବଂ ପିଲାମାନଙ୍କ ପାଇଁ କାରଗୁଡ଼ିକୁ ସୁରକ୍ଷିତ କରିବା । ଏହି ପ୍ରୋଗ୍ରାମ୍ ଗ୍ଲୋବାଲ୍ ଏନସିଏପି ଭଳି ସମାନ ହେବ, ଯେଉଁଥିରେ ନୂତନ କାର୍ ମଡେଲଗୁଡିକ ର କ୍ରାସ୍ ଟେଷ୍ଟ ମାଧ୍ୟମରେ ଅନେକ ପାରାମିଟର ପରୀକ୍ଷଣ କରାଯାଏ ଏବଂ ସେଗୁଡିକ ୧ ରୁ ୫ ଷ୍ଟାର ମଧ୍ୟରେ ରେଟିଂ ଦିଆଯାଏ ।
ନିକଟରେ ମହିନ୍ଦ୍ରା ଏକ୍ସୟୁଭି୭୦୦ କୁ ଗ୍ଲୋବାଲ ଏନସିଏପି ‘ସେଫର ଚଏସ’ ପୁରସ୍କାର ଦିଆଯାଇଛି । ମହିନ୍ଦ୍ରା ଗୁପ୍ ପାଇଁ ଏହା ଦ୍ୱିତୀୟ ପୁରସ୍କାର । ପ୍ରଥମ ଆୱାର୍ଡ ୨୦୨୦ ରେ ଏକ୍ସୟୁଭି୩୦୦ କୁ ଦିଆଯାଇଥିଲା । ଗ୍ଲୋବାଲ ଏନସିପିର କହିବା ଅନୂଯାୟୀ ଏହି ପୁରସ୍କାର କେବଳ ଉଚ୍ଚ ସ୍ତରର ନିରାପତ୍ତା ପ୍ରଦର୍ଶନ କରୁଥିବା ବାହନ ନିର୍ମାତାଙ୍କୁ ଦିଆଯାଏ ।