fbpx

ରାଷ୍ଟ୍ରପତି ନିର୍ବାଚନ: ଭୋଟ୍ ପୂର୍ବରୁ କେଁ, ଯଶଓ୍ଵନ୍ତ ସିହ୍ନାଙ୍କ ପ୍ରାର୍ଥୀତ୍ଵକୁ ନେଇ ଅସନ୍ତୁଷ୍ଟ ବିରୋଧୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବହୁ ବିଚାର ବିମର୍ଶ ପରେ ଶେଷରେ ଯଶଓ୍ଵନ୍ତ ସିହ୍ନାଙ୍କ ଉପରେ ମୋହର ମାରିଥିଲେ ବିରୋଧୀ ଦଳ। ଦୀର୍ଘ ସମୟ ବୈଠକ ପରେ ସର୍ବସମ୍ମତିକ୍ରମେ ସିହ୍ନାଙ୍କୁ ପ୍ରାର୍ଥୀ କରିବାକୁ ବିରୋଧୀ ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ଯଶଓ୍ଵନ୍ତଙ୍କ ପ୍ରାର୍ଥୀତ୍ଵକୁ ନେଇ ଅସନ୍ତୁଷ୍ଟ ପଶ୍ଚିମବଙ୍ଗ ସିପିଏମ। ପାର୍ଟିର କହିବା କଥା ଏହି ପଦ ପାଇଁ ପ୍ରାର୍ଥୀ ଆହୁରି ଭଲ ହୋଇ ପାରିଥାନ୍ତା। ସେହିପରି ଜେଏମଏମ କାହାକୁ ସମର୍ଥନ କରିବ ସେ ଦଳ ଦ୍ଵନ୍ଦ୍ଵରେ ରହିଛି। ଅନ୍ୟପଟେ ଏନଡିଏ ପକ୍ଷରୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି।

ସିପିଏମ ପକ୍ଷରୁ ଶନିବାର ବିବୃତି ଜାରି କରାଯାଇ ସିହ୍ନାଙ୍କ ପ୍ରାର୍ଥୀତ୍ଵକୁ ସମର୍ଥନ କରାଯାଇଥିଲା। ହେଲେ ଏହାକୁ ନେଇ ପାର୍ଟିରେ ବିବାଦ ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍ଗରୁ ସିପିଏମର ରାଜ୍ୟସଭା ସାଂସଦ ବିକାଶରଞ୍ଜନ ଭଟ୍ଟାଚାର‌୍ୟ୍ୟ ଯଶଓ୍ଵନ୍ତ ସିହ୍ନାଙ୍କ ପୂର୍ବରୁ ବିଜେପି ସହିତ ସଂପର୍କ ଏବଂ ଏବେ ଟିଏମସି ସହ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସିପିଏମର ସାଧାରଣ ସଂପାଦକ ସୀତାରାମ ୟେଚୁରୀ କହିଛନ୍ତି, ବିରୋଧୀ ପ୍ରାର୍ଥୀ କରିବା ପୂର୍ବରୁ ବାମ ଦଳ ସିହ୍ନାଙ୍କୁ ସବୁ ପାର୍ଟିରୁ ଇସ୍ତଫା ଦେବାକୁ ବିବଶ କରିଥିଲା। ଏହାକୁ ୟେଚୁରୀ ବାମଦଳର ନୈତିକ ବିଜୟ ବୋଲି କହିଥିଲେ। ଏବେ ବାମଦଳର କହିବା କଥା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ତରଫରୁ ଏଥିରୁ ଆହୁରି ଭଲ ପ୍ରାର୍ଥୀ ଛିଡା କରାଯାଇ ପାରିଥାନ୍ତା। ଏଥିରୁ ସ୍ପଷ୍ଟ ଯେ, ବିରୋଧୀଦଳ ମଧ୍ୟରେ ସିହ୍ନାଙ୍କ ପ୍ରାର୍ଥୀତ୍ଵକୁ ନେଇ ମତଭେଦ ରହିଛି।

ଶନିବାର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରୀୟ କମିଟି ବୈଠକ ବସିବାକୁ ଯାଉଛି। ଏଥିରେ ସ୍ଥିର କରାଯିବ ଯେ ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ। ଜୁନ ୧୫ରେ ବିରୋଧୀଙ୍କ ବୈଠକରେ ଜେଏମଏମ ଉପସ୍ଥିତ ଥିଲା। ହେଲେ ଅନ୍ତିମ ବୈଠକରେ ପାର୍ଟି ଗାଏବ ଥିଲା। ଶେଷ ବୈଠକରେ ହିଁ ସିହ୍ନାଙ୍କ ନାମ ଘୋଷଣା କରାଯାଇଥିଲା। ଜେଏମଏମ ମଧ୍ୟ ଦ୍ଵନ୍ଦ୍ଵରେ ଯେ, ପାର୍ଟି କାହାକୁ ସମର୍ଥନକ କରିବ। ଦ୍ରୌପଦୀ ମୁର୍ମୁ ପୂର୍ବେ ରାଜ୍ୟର ରାଜ୍ୟପାଳ ଥିବାରୁ ତାଙ୍କୁ ସମର୍ଥନ ଦେବା ନେଇ ରାଜ୍ୟବାସୀ ଚାହୁଁଛନ୍ତି। ଅନ୍ୟପଟେ ବିରୋଧୀ ଦଳ ହିସାବରେ ମୁର୍ମୁଙ୍କୁ ସମର୍ଥନ ଦେବା ଅନ୍ୟ ସହଯୋଗୀ ଦଳକୁ ଅସନ୍ତୁଷ୍ଟ କରିବା ପରି ହେବ। ତେଣୁ ଦଳ ଆଜିର ବୈଠକରେ କଣ ନିଷ୍ପତ୍ତି ନେଉଛି ତାହା ଦେଖିବା ବାକି ରହିଲା।

 

Get real time updates directly on you device, subscribe now.