fbpx

କାହିଁକି ବାଇଶି ପାହାଚରେ ପିଲାଙ୍କୁ ଗଡାଯାଏ: ଜାଣନ୍ତୁ ମହାପ୍ରଭୁଙ୍କ ଲୀଳା

ଓଡିଶା ଭାସ୍କର: ଓଡିଆ ଜାତିର ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କ ଲୀଳାରେ ଏ ଜଗତରେ ଚନ୍ଦ୍ର ସୂର୍ଯ୍ୟ ଆତଜାତ ହୋଇଥାନ୍ତି । ସୂର୍ଯ୍ୟୋଦୟରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ଯାଏ ପ୍ରତ୍ୟେକ ଘଟଣା ତାଙ୍କରି କୃପାରେ ଏବଂ ତାଙ୍କ ଲୀଳାର ଅଂଶ ହୋଇଥାଏ । ମହାପ୍ରଭୁ ଜଗନ୍ନାଥ ଯେତିକି ରହସ୍ୟମୟ ଠିକ୍ ସେମିତି ତାଙ୍କ ସହ ଜଡ଼ିତ ଥିବା ପ୍ରତ୍ୟେକ ଜିନିଷ ମଧ୍ୟ ରହସ୍ୟମୟୀ । ସେହିପରି ରତ୍ନ ସିଂହାସନକୁ ଲାଗିଥିବା ବାଇଶିି ପାହାଚକୁ ନେଇ ମଧ୍ୟ ଅନେକ ରହସ୍ୟ ରହିଛି । ଶ୍ରୀମନ୍ଦିର ଭିତରକୁ ଯିବା ସମୟରେ ଆପଣମାନେ ଦେଖିଥିବେ, କିଏ ଶ୍ରୀମନ୍ଦିର କାନ୍ଥରେ ମୁଣ୍ଡ ଲଗାଇ ମୁଣ୍ଡିଆ ମାରି ନୀଳଚକ୍ରକୁ ଦର୍ଶନ କରେ ତ ପୁଣି କିଏ ବାଇଶି ପାହାଚରେ ନିଜ ପିଲା ମାନଙ୍କୁ ଗଡ଼ାଇ ଥାନ୍ତି । କିନ୍ତୁ କଣ ପାଇଁ ଗଡ଼ାଇ ଥାନ୍ତି ? ଆଉ ବାଇଶି ପାହାଚ କଣ ପାଇଁ ବାଇଶି ଟି ହେଲା ?

ବାଇଶି ପାହାଚ କଣ ପାଇଁ ୨୨ଟି ହେଲେ କାହିଁକି ୨୦ କି ୨୧ ଟି ହେଲାନାହିଁ । ଏହାକୁ ନେଇ ଠୋସ କିଛି ପ୍ରମାଣ ନାହିଁ । କିନ୍ତୁ ଏହି ୨୨ ପାହାଚକୁ ନେଇ ସୁନ୍ଦର ଲୋକ କଥା ରହିଛି । ତେବେ ଏହି ଲୋକ କଥା ହିଁ ଏହି ୨୨ ପାହାଚର ନିର୍ମାଣ କରାଯିବାର ପ୍ରମାଣ ଦିଏ । ଯେଉଁଥିପାଇଁ ଲୋକେ ସେହି ଲୋକ କଥା ଉପରେ ବିଶ୍ୱାସ କରି ପିଲାଙ୍କୁ ୨୨ ପାହାଚରେ ଗଡ଼ାଉଛନ୍ତି ।

ଶ୍ରୀକ୍ଷେତ୍ରରେ ୨ୟ ଭାନୁଦେବଙ୍କ ସମୟରେ ଏହି ୨୨ ପାହାଚ ନିର୍ମାଣ ହୋଇଥିଲା ବୋଲି କିଛି ଗବେଷ କ କୁହନ୍ତି। ସେମାନଙ୍କ ମତରେ ରାଜା ଭାନୁଦେବ ଅପୁତ୍ରିକ ଥିଲେ। ଏଣୁ ଭଗବାନ ଜମ୍ବେଶ୍ବର ମହାଦେବକଙ୍କୁ ସେ ପ୍ରାର୍ଥନା କରି ପୁତ୍ର କାମନା କରନ୍ତି।

ଠାକୁରଙ୍କ କୃପାରୁ ଭାନୁଦେବଙ୍କ ପୁଅଟିଏ ବି ହେଲା। ହେଲେ ଜାତକ କାଟିଲା ବେଳେ ଅବଧାନେ କହିଲେ, ଏ ପୁଅଟି ଆପଣଙ୍କ ୨୨ ବର୍ଷ ଆୟୁଷ ନେଇ ଜନ୍ମ ହୋଇଛି। ଏଣୁ ୨୨ ଡେଇଁଲେ, ଏହାର ମୃତ୍ୟୁ ସୁନିଶ୍ଚିତ।
ଅଳ୍ପାୟୁ ପୁଅ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ। ଅଳ୍ପାୟୁ ପୁଅକୁ ଦୀର୍ଘାୟୁ କରିବାକୁ ଠାକୁରଙ୍କୁ ପ୍ରାର୍ଥନା କରିବାକୁ ଦିଅଁ ସ୍ବପ୍ନାଦେଶ କଲେ।

‘ଯାଅ ରାଜା, ବଡ଼ ଦେଉଳ ମୁହଁରେ ପାହାଚ ନିର୍ମାଣ କର। ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ତୁମ ଦ୍ବାରା ନିର୍ମିତ ଏହି ୨୨ ପାହାଚ ଅତିକ୍ରମ କରନ୍ତୁ। ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ ହେଉ। ଆଉ ଏହି ବାଇଶି ପାହାଚରେ ଗଡାଇ ତୁମ ୨୨ ବର୍ଷ ପ୍ରାରବ୍ଧ ନେଇ ଆସିଥିବା ପୁଅ ଗୋଟିଏ ସୁନ୍ଦର ଜୀବନକୁ ଅଙ୍ଗେ ନିଭାଉ।

ଭାନୁଦେବ ଏହି ସ୍ବପ୍ନାଦେଶ ପାଇ ନିଜକୁ କୃତାର୍ଥ ମନ କଲେ। ଆରମ୍ଭ ହେଲା ବାଇଶି ପାହାଚ ନିର୍ମାଣ। ସେବେଠାରୁ ଏହି ବାଇଶି ପାହାଚରେ ନିଜ ସନ୍ତାନକୁ ଗଡେଇ ଆସୁଛନ୍ତି ଏ ଜାତିର ଅଗଣିତ ଶ୍ରଦ୍ଧାଳୁ। ଆଉ ପ୍ରାର୍ଥନା କରୁଛନ୍ତି, ହେ ମହାପ୍ରଭୁ ତୁମେ ମୋ ସନ୍ତାନକୁ ଶଙ୍ଖେ ପୂରାଇ ଚକ୍ର ଆଢୁଆଳେ ରଖିଥାଅ।

Get real time updates directly on you device, subscribe now.