ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା । ଦୈତାରୀ ପଣ୍ଡାଙ୍କ ନାମରେ ଏତଲା ଦେଇଛନ୍ତି ରାଜଧାନୀ ମିଡିଆ ହାଉସର ସିଇଓ ହର ବାରିକ । ସେ ଅଭିଯୋଗ କରିଛନ୍ତି ଯେ ଦୈତାରୀ ପଣ୍ଡା ପାର୍ବତୀ ଗଣନାଟ୍ୟକୁ ଧୋକା ଦେଇଛନ୍ତି । ଏନେଇ ସେ ଭୁବନେଶ୍ବରରେ ମଧ୍ୟ ଏକ ଏତଲା ଦେଇଛନ୍ତି ।
ସୂଚନା ଅନୂଯାୟୀ, ଏତଲାରେ ହର ବାରିକ ଉଲ୍ଲେଖ କରିଛନ୍ତି ଯେ ଦଇତାରୀ ପଣ୍ଡା ୨୦୨୨-୨୩ ଯାତ୍ରା ବର୍ଷ ପାଇଁ ଚୁକ୍ତି ବଦ୍ଧ ହୋଇଥିଲେ। ଏଥିପାଇଁ ସେ ପାର୍ବତୀ ଗଣନାଟ୍ୟଠାରୁ ୧୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ୨୧ ଜୁନରେ ସେ ଆଖଡ଼ାରେ ଯୋଗ ଦେବା କଥା କିନ୍ତୁ ଯାତ୍ରା ପାର୍ଟି ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହାର ସେ ଉତ୍ତର ଦେଇନଥିଲେ ।
ସେ ଆହୁରି କହିଛନ୍ତି ଦୈତାରୀ ପଣ୍ଡାଙ୍କର ଔପଦା ଏବଂ ଭୁବନେଶ୍ବର ଘରେ ମଧ୍ୟ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେଠାରେ ତାଙ୍କୁ ପାଇନଥିଲୁ । ଦୈତାରୀ ପଣ୍ଡା ଜଣେ ଷ୍ଟାର ଯାତ୍ରା କଳାକାର ହୋଇଥିବାରୁ ତାଙ୍କୁ ଦେଖାଇ ପାର୍ବତୀ ଗଣନାଟ୍ୟ ପ୍ରାୟ ୪୦ଟି ସ୍ଥାନରୁ ୫୦ ଲକ୍ଷ ଟଙ୍କାର ଅର୍ଡର ନେଇଛନ୍ତି। ଯଦି ଦୈତାରୀ ପଣ୍ଡା ଏବର୍ଷା ଯାତ୍ରାରେ ସାମିଲ ନହୁଅନ୍ତି ତେବେ ପାର୍ବତୀ ଗଣନାଟ୍ୟର ବଡ଼ କ୍ଷତି ହେବ ବୋଲି ହର ବାରିକ ଏତଲାରେ ଦର୍ଶାଇଛନ୍ତି । ଏନେଇ ସେ ଭୁବନନେଶ୍ବର ଏତଲା ଦେବା ସହ ତାଙ୍କୁ ଖୋଜିବା ଲାଗି ଅନୁରୋଧ କରିଛନ୍ତି।
ସୂଚନା ମୁତାବକ ଦୈତାରୀ ପଣ୍ଡା ଏବେ ଯାଜପୁରରେ କୋଣାର୍କ ଗଣନାଟ୍ୟର ଆଖଡ଼ାରେ ଯୋଗ ଦେଇ ସେଠାରେ ରିହରସଲ ଆରମ୍ଭ କରିଛନ୍ତି । ଯାହାକୁ ନେଇ ଏବେ ଉଭୟ ପାର୍ଟି ମଧ୍ୟରେ ଟଣା ଓଟରା ଆରମ୍ଭ ହୋଇଛି। ସେପଟେ କିନ୍ତୁ ଦୈତାରୀ ପଣ୍ଡାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।