fbpx

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ କାଳିଆ ସାଆନ୍ତ: ଆଡ଼ପ ମଣ୍ଡପରେ ଲାଗିବ ପ୍ରବଳ ଭିଡ଼

ନୂଆଦିଲ୍ଲୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା । ସମସ୍ତ ଲୀଳାଖେଳା ସାରି ବଡ଼ଠାକୁର ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ପାଇଁ ନାକଚଣା ଦ୍ୱାର ନିକଟରେ ଦକ୍ଷିଣ ମୋଡ଼ ହୋଇ ତିନିରଥ ଅପେକ୍ଷା କରି ରହିଛନ୍ତି । ଗତକାଲି ଶ୍ରଦ୍ଧାଳୁମାନେ ନବମୀ ସାନ୍ଧ୍ୟ ଦର୍ଶନ କରିବା ନେଇ ପ୍ରବଳ ଭିଡ଼ ଲଗାଇଥିଲେ । ତେବେ ମହାବାହୁଙ୍କ ସାନ୍ଧ୍ୟ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ପୌରାଣିକ ବିଶ୍ୱାସ ରହିଛି ।

ଆଜି ତିନିଠାକୁର ରଥାରୁଢ଼ ହୋଇ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥରେ ପୋଡ଼ପିଠା ଭୋଗ ଲାଗିବା ପରେ ରଥ ଗଡ଼ିବା ଆରମ୍ଭ କରିବ । ପରମ୍ପରା ଅନୁଯାୟୀ ମାଉସୀ ମା’ଙ୍କ ସେବକଙ୍କ ଘରେ ପୋଡ଼ପିଠା ତିଆରି ହୋଇଥାଏ । ଲବଙ୍ଗ, ଗୁଜୁରାତି, ଚିନି, ଛେନା, ଅଟା, ଘିଅ ଆଦି ସାମଗ୍ରୀ ମିଶ୍ରିତ କରି ତିନି ଠାକୁରଙ୍କ ପାଇଁ ୪ଟି ପୋଡ଼ପିଠା ତିଆରି କରାଯାଏ ।

ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୭୫ ପ୍ଲାଟୁନ ପୋଲିସ ସହ ଏକ ହଜାର ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି । ଭୋର ୪ଟାରେ ମଙ୍ଗଳ ଆଳତି, ୪.୧୫ରେ ମଇଲମ, ୪.୩୦ରେ ତଡ଼ପଲାଗି, ରୋଷହୋମ, ୫ଟାରେ ଅବକାଶ, ୫.୧୫ରେ ସୂର୍ଯ୍ୟପୂଜା, ୫.୩୦ରେ ଦ୍ୱାରପାଳ ପୂଜା ହେବ ।

ସକାଳ ୫.୪୫ରୁ ୬.୪୫ ମଧ୍ୟରେ ବାହୁଡ଼ା ଗୋପାଳ ବଲ୍ଲଭ ଓ ଖେଚୁଡ଼ି ଭୋଗ, ୭ରୁ ୧୧.୩୦ରେ ସେନାପଟା ଲାଗି, ୧୧.୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ରୁ ୨.୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ୧ଟାରୁ ୨.୩୦ ମଧ୍ୟରେ ବେଶ ଶେଷ, ଅପରାହ୍ଣ ୨.୩୦ରୁ ୩.୨୦ ଛେରାପହଁରା, ୩ରୁ ୪ଟା ମଧ୍ୟରେ ଚାରମାଳ ଫିଟା, ୪ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।

Get real time updates directly on you device, subscribe now.