ନୂଆଦିଲ୍ଲୀ: ଜୁଲାଇ ୧୮ରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ରାଜ୍ୟର ବିରୋଧୀ ଦଳକୁ ମନାଇବାରେ ସମର୍ଥ ହୋଇଛନ୍ତି। ବିରୋଧୀ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବହୁଜନ ସମାଜ ପାର୍ଟି(ବିଏସପି) ସମେତ ସମାଜବାଦୀ ମେଣ୍ଟରେ ସାମିଲ୍ ସୁହେଲ ଦେବ ଏବଂ ଜନସତା ଦଳ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି।
ରାଷ୍ଟ୍ରପତି ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧୀ ଦଳଗୁଡିକ ପକ୍ଷରୁ ସମର୍ଥନ ମିଳିବାରେ ଲାଗିଛି। ସୂଚନା ଅନୁଯାୟୀ, ଓମ ପ୍ରକାଶ ରାଜଭର, ଜନସତ୍ତା ଦଳର ନେତା ରଘୁରାଜ ପ୍ରତାପ ସିଂହ, ବହୁଜନ ସମାଜ ପାର୍ଟିର ନେତା ଉମା ଶଙ୍କର ସିଂହ ଏବଂ ଏସପି ବିଧାୟକ ଶିବପାଲ ସିଂହ ଯାଦବ ସମେତ ବିରୋଧୀ ପାର୍ଟିର ଅନେକ ନେତା ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।
ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ବିଜେପି ସଭାପତି ସ୍ଵତନ୍ତ୍ର ଦେବ ସିଂହ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ, ବ୍ରଜେଶ ପାଠକ, ଅପନା ଦଳର ନେତା ଆଶିଷ ପଟେଲ୍ ଏବଂ ନିଷାଦ ପାର୍ଟିର ନେତା ଡ. ସଞ୍ଜୟ ନିଷାଦ ସହିତ ଅନ୍ୟ ବରିଷ୍ଠ ନେତା ତାଙ୍କର ଭବ୍ୟ ସ୍ଵାଗତ କରିଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ମଧ୍ୟ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ତ୍ତମାନ ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଜୁଲାଇ ୨୪ରେ ସରିବାକୁ ଯାଉଛି। ଜୁଲାଇ ୧୮ରେ ମତଦାନ ହେବାକୁ ଥିବା ବେଳେ ଜୁଲାଇ ୨୧ରେ ଭୋଟ୍ ଗଣତି ହେବ।