fbpx

NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ଜଣାଇଲା ସମର୍ଥନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଘୋଷଣା କରିସାରିଛି । ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପାର୍ଥୀ ଘୋଷଣା କରାଯାଇଛି । ତେବେ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଛିଡ଼ା କରିବା ପରେ ବିଜେପି ଏବେ ସମର୍ଥନ ପାଇଁ ପ୍ରସ୍ତୁତ ହେଉଛି ।

ଏହି ପରିପ୍ରେକ୍ଷୀରେ ରବିବାର ବିଜେଡି ମଧ୍ୟ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ ଜଣାଇଛି ।  ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି । ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ବିଜେଡି ସାଂସଦ । ଏନେଇ ମୁଖମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ବିଜେଡି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇସାରିଛି । ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

ସୂଚନାଯୋଗ୍ୟ, ଆସନ୍ତା ୬ ଅଗଷ୍ଟରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଶନିବାର ଭାରତୀୟ ଜନତା ପାର୍ଟୀର ସଂସଦୀୟ ବୋର୍ଡର ବୈଠକରେ ଉପରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଭାବରେ ଜଗଦୀପ ଧନଖଡ଼ଙ୍କ ନାମ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ଥିଲେ ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଚ୍ଛୁକ ଆଶାୟୀ ୧୯ ଜୁଲାଇ ମଧ୍ୟରେ ନାମାଙ୍କନ ଦାଖଲ କରିପାରିବେ । ନାମାଙ୍କନ ପତ୍ରର ଯାଞ୍ଚ ୨୦ ଜୁଲାଇରେ କରାଯିବ । ୨୨ ଜୁଲାଇ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ଏବଂ ୬ ଜୁଲାଇରେ ହେବ ମତଦାନ ।

ସୂଚନାଯୋଗ୍ୟ, ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହେବ।

Get real time updates directly on you device, subscribe now.