fbpx

ରାନିଲ ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ଦିନକୁ ଦିନ ଖରାପ ହେଉଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ରାନିଲ ବିକ୍ରମସିଂଘେ ହୋଇଛନ୍ତି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ତ୍ରିକୋଣୀୟ ମୁକାବିଲାରେ ବିଜୟୀ ହୋଇଛନ୍ତି ବିକ୍ରମସିଂଘେ । ତାଙ୍କୁ ମୋଟ ୧୩୪ଟି ଭୋଟ୍ ମିଳିଥିବା ଜଣାପଡିଛି । ବିକ୍ରମସିଂଘେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ଭାଳୁଥିଲେ । ଭୋଟ ଦେଇ ରାନିଲଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି ଶ୍ରୀଲଙ୍କା ସାଂସଦ । ଆଜି ସଂସଦରେ ପୂର୍ବ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ସେ ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଶ୍ରୀଲଙ୍କା ସଂସଦ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିଲା ।

ତେବେ ଶ୍ରୀଲଙ୍କା ଏବେ ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ରାନିଲଙ୍କ ପାଇଁ ଏହା ବଡ ଚ୍ୟାଲେଞ୍ଚ ହୋଇପାରେ । ରାନିଲଙ୍କ ସାମ୍ନାରେ ଅନେକ ବଡ-ବଡ ସମସ୍ୟା ରହିଛି, ଯେପରିକି -ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ, ଦେଶରେ ଆର୍ଥିକ ସ୍ଥିତିରେ ସୁଧାର, ଦେଶର ରାଜନୈତିକ ଅସ୍ଥିରତା ଭିତରେ ଶାସନ ଇତ୍ୟାଦି । ରାଜନୀତି ପଣ୍ଡିତଙ୍କ ମତରେ ଶ୍ରୀଲଙ୍କାର ସ୍ଥିତିରେ ସୁଧାର ଆଣିବା ପାଇଁ ରାନିଲଙ୍କୁ ନୂଆ ରଣନୀତି ସହ ଆଗକୁ ବଢିବାକୁ ହେବ । ଦୂରଦୃଷ୍ଟି ସମ୍ପନ୍ନ ଓ ଆର୍ଥିକ ବ୍ୟବସ୍ଥା ସମ୍ଭାଳିବା ପାଇଁ ଦକ୍ଷତା ରଖୁଥିବା ଜଣେ ଧୁରନ୍ଧର ନେତା ଭାବେ ଜଣାଯାଆନ୍ତି ରାନିଲ । ୧୯୭୦ ମସିହାରେ ରାଜନୀତିରେ ପାଦ ଦେଇଥିବା ରାନିଲ କ୍ରମଶ ଶ୍ରୀଲଙ୍କାର ଜଣେ ଚର୍ଚ୍ଚିିତ ରାଜନୈତିକ ଚେହେରା ପାଲଟିଥିଲେ । ୧୯୯୩ରୁ ୨୦୧୯ ଭିତରେ ବିଭିନ୍ନ ଘଟଣାକ୍ରମ ସହ ସେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିଲେ । ରାଜନେତାଭାବେ ତାଙ୍କ ପାଖରେ ୪୦ବର୍ଷର ଅଭିଜ୍ଞତା ରହିଛି । କେବଳ ସେତିକି ନୁହେଁ ଅର୍ନ୍ତରାଷ୍ଟ୍ରୀୟ ସହଯୋଗ ଭିତିରେ ଶାସନ, ମଜବୁତ କୁଟନୀତିକୁ ନେଇ ଶାସନ କରିବା ଦିଗରେ ମଧ୍ୟ ସେ ଜଣେ ଟାଣୁନା ନେତା ।

Get real time updates directly on you device, subscribe now.