fbpx

ଜାପାନ ନିକଟରେ ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟ, ଚୀନର ଅବସ୍ଥା ଖରାପ, ଜାଣନ୍ତୁ ଭାରତର ସ୍ଥିତି

ନୂଆଦିଲ୍ଲୀ: କୋଭିଡ୍-୧୯ର ନକରାତ୍ମକ ପ୍ରଭାବରୁ ଏବେ ମଧ୍ୟ ଦୁନିଆ ବାହାରି ପାରି ନାହିଁ। ଏହା ମଧ୍ୟରେ ପାସପୋର୍ଟକୁ ନେଇ ନୂତନ ମାନ୍ୟତା ଜାରି କରାଯାଇଛି। ଜାପାନ, ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ପାଖରେ ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟ ରହିଛି। ପୂର୍ବେ ଏହି ମାନ୍ୟତାରେ ୟୁରୋପୀୟ ଦେଶର ଦବଦବା ରହୁଥିଲା। ଇମିଗ୍ରେସନ କନସଲଟେନ୍ସି ହେନଲେ ଆଣ୍ଡ ପାଟନର୍ସର ନୂତନ ପାସପୋର୍ଟ ରାଙ୍କିଙ୍ଗ ଅନୁଯାୟୀ, ଗୋଟିଏ ଜାପାନୀ ପାସପୋର୍ଟ ଜରିଆରେ ଆପଣ ୧୯୩ ଦେଶରେ ବିନା କୌଣସି ହଇରାଣରେ ଯାତ୍ରା କରି ପାରିବେ। ଏହି ମାମଲାରେ ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ଜାପାନଠୁ କିଛିଟା ପଛରେ ରହିଛନ୍ତି।

ରୁଷ ପାସପୋର୍ଟକୁ ରାଙ୍କିଙ୍ଗରେ ୫୦ତମ ସ୍ଥାନରେ ରଖାଯାଇଛି। ଏହି ଦେଶର ପାସପୋର୍ଟ ସାହାଯ୍ୟରେ ଜଣେ ୧୧୯ ଦେଶରେ ଭ୍ରମଣ କରି ପାରିବ। ୮୦ଟି ଦେଶ ପହଞ୍ଚି ପାରୁଥିବା ଚୀନ ପାସପୋର୍ଟକୁ ୬୯ତମ ମାନ୍ୟତା ମିଳିଛି। ଭାରତର ପାସପୋର୍ଟ ୮୭ତମ ସ୍ଥାନରେ ରହିଛି। ଆଫଗାନିସ୍ତାନର ପାସପୋର୍ଟର ସବୁଠୁ କମ ଉପଯୋଗିତା ରହିଛି। ଏହି ଦେଶର ପାସପୋର୍ଟ ଜରିଆରେ ମାତ୍ର ୨୭ ଦେଶ ଯାତ୍ରା କରିବାର ଅନୁମତି ମିଳି ପାରିବ।

ଏହି ସୂଚକାଙ୍କ ଅନୁସାରେ ୨୦୧୭ ପର‌୍ୟ୍ୟନ୍ତ ୟୁରୋପୀୟ ଦେଶର ଦବଦବା ରହି ଆସିଥିଲା। ଟପ୍-୧୦ରେ ସ୍ଥାନ ପାଇବା କୌଣସି ଏସିଆ ଦେଶ ପାଇଁ ବହୁତ ମୁସ୍କିଲ ଥିଲା। ହେଲେ ୟୁରୋପର ପତିଆରା ଦୁନିଆରେ ଧିରେ ଧିରେ କମ ହେବାରେ ଲାଗିଛି। ଜର୍ମାନୀ ଏବେ ଦକ୍ଷିଣ କୋରିଆଠୁ ପଛରେ ରହିଛି। ନୂତନ ରାଙ୍କିଙ୍ଗ ଅନୁସାରେ ବ୍ରିଟେନ୍ ଷଷ୍ଠ ସ୍ଥାନରେ ରହିଛି। ଏହି ଦେଶର ପାସପୋର୍ଟ ଜରିଆରେ ଜଣେ ୧୮୭ ଦେଶ ଏବଂ ଆମେରିକା ୧୮୬ ଦେଶ ସହିତ ତାଲିକାରେ ସପ୍ତମରେ ରହିଛି।

ଏହି ସୂଚକାଙ୍କ ପ୍ରସ୍ତୁତ କରିବା ପାଇଁ ୧୭ ବର୍ଷର ତଥ୍ୟ ବ୍ୟବହାର କରାଯାଏ। ଏହି ସୂଚକାଙ୍କ ଧନୀ ବ୍ୟକ୍ତି ଏବଂ ସରକାରଙ୍କୁ ସାରା ଦୁନିଆରେ ନାଗରିକତାର ମୂଲ୍ୟ ଆକଳନ କରିବାରେ ସହାୟକ ହୋଇଥାଏ। ଏହାକୁ ଆଧାର କରି ଭିସା ପ୍ରଦାନ କରାଯାଏ।

 

Get real time updates directly on you device, subscribe now.