fbpx

ବ୍ୟାଚ୍ ସଂଗ୍ରହ କରି ବିଶ୍ୱ ରେକର୍ଡ: ସାରା ପୃଥିବୀରେ ଚମକୁଛନ୍ତି ଓଡିଆ ପୁଅ ଶ୍ୟାମପ୍ରକାଶ

ପୁରୀ : ବ୍ୟାଚ ସଂଗ୍ରହ କରିବାର ନିଶା ଆଜି ବିଶ୍ୱ ରେକର୍ଡର ଅଧିକାରୀ କରି ଦେଇଛି । ଏଭଳି ନିଆରା ନିଶା ପାଇଁ ଆଜି ସେ ଓଡିଶାର ଗର୍ବ ଏବଂ ଗୌରବ ପାଲଟି ଯାଇଛନ୍ତି । ଏମିତି ଏକ ଉଦାହରଣ ହୋଇ ଉଭା ହୋଇଛନ୍ତି ପୁରୀ ଜିଲ୍ଲାର ସୁଯୋଗ୍ୟ ସନ୍ତାନ ତଥା ସମାଜସେବୀ ଶ୍ୟାମପ୍ରକାଶ ସେନାପତି । ବ୍ୟାଚ ସଂଗ୍ରହ କରିବା କ୍ଷେତ୍ରରେ ଆଜି ସେ ସାରା ବିଶ୍ୱରେ ଆଗରେ ରହିଛନ୍ତି । ଏନେଇ ତାଙ୍କୁ ୱାଲର୍ଡ ରେକର୍ଡସ ଅଫ ଇଣ୍ଡିଆ ପକ୍ଷରୁ ସମ୍ମାନିତ କରାଯାଇଛି ।

ଶ୍ୟାମପ୍ରକାଶ ୧୯୯୨ ମସିହାରୁ ଏପର୍ଯ୍ୟନ୍ତ ୪ ହଜାର ୬୦୦ ରୁ ଅଧିକ ବ୍ୟାଚ ସଂଗ୍ରହ କରି ଏହି ନୂଆ ବିଶ୍ୱ ରେକର୍ଡ ହାତେଇ ପାରିଛନ୍ତି । ବିଭିନ୍ନ ସ୍ଥାନରେ ଅତିଥି, ମଞ୍ଚ ସଂଯୋଜକ, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସାମାଜିକ ଅନୁଷ୍ଠାନର ସଦସ୍ୟ ଭାବରେ ସାମିଲ ହୋଇ ବ୍ୟାଚ ଗୁଡିକୁ ସଂଗ୍ରହ କରିଥାନ୍ତି । ୫ ହଜାରରୁ ଅଧିକ ମଞ୍ଚରେ ସାମିଲ ହେବା ତାଙ୍କୁ ଆଜି ଏହି ସୌଭାଗ୍ୟ ଆଣି ଦେଇଛି । ତେବେ ସେ ସଂଗ୍ରହ କରିଥିବା ସମସ୍ତ ବ୍ୟାଚରେ ତାଙ୍କ ନାମ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି ।

ସମାଜସେବୀ ଶ୍ୟାମପ୍ରକାଶ ସେନାପତି କେବଳ ରାଜ୍ୟ ନୁହଁ ବରଂ ଦେଶ ବିଦେଶରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେଠାରୁ ପାଇଥିବା ବ୍ୟାଚ ଗୁଡିକୁ ସାଇତି ରଖିଛନ୍ତି । ପିଲାବେଳରୁ ବାପାଙ୍କୁ ଦେଖି ବ୍ୟାଚ ସଂଗ୍ରହ କରିବାର ଏହି ନିଶା ତାଙ୍କ ମନରେ ଉଙ୍କି ମାରିଥିଲା । ଏହାପରେ ସେ ୧୯୯୨ ମସିହାରୁ ବ୍ୟାଚ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ସେ ସୋଲୋ, ରିବନ, ଭେଲ୍ଭେଟ୍ ଓ ଝୋଟ ଇତ୍ୟାଦିର ବ୍ୟାଚ ସଂଗ୍ରହ କରିଛନ୍ତି । ନିକଟରେ ରାଜଭବନରେ ଆୟୋଜିତ ହୋଇଥିବା “ସଂକଳ୍ପରୁ ସିଦ୍ଧି’ କାର୍ଯ୍ୟକ୍ରମରେ ସେ ସଫଳ ବ୍ୟକ୍ତିତ୍ୱ ଭାବରେ ମହାମହିମ ରାଜ୍ୟପାଳଙ୍କ ନିକଟରୁ ସମ୍ମାନିତ ହୋଇଥିଲେ ।

ଶ୍ୟାମପ୍ରକାଶ ଜଣେ ସମାଜସେବୀ ସହିତ ଜଣେ କବି ମଧ୍ୟ ଅଟନ୍ତି । ସେ ୧୯୯୨ ମସିହାରୁ  “ଅଭିନନ୍ଦନିକା’ ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ଭାବରେ କାର୍ଯ୍ୟ  ନିର୍ବାହ କରିଆସୁଛନ୍ତି । ତେବେ ବ୍ୟାଚ ବ୍ୟତୀତ ବିଦେଶୀ ମୁଦ୍ରା ଓ ନୋଟ ମଧ୍ୟ ସଂଗ୍ରହ କରିବାକୁ ଭଲ ପାଆନ୍ତି ଶ୍ୟାମପ୍ରକାଶ । କେବଳ ସେତିକି ନୁହେଁ ତାଙ୍କ ନାମରେ ପ୍ରକାଶ ପାଇଥିବା ସମ୍ବାଦ ପତ୍ରର ପ୍ରାୟ ୧୦ ହଜାରରୁ  ଅଧିକ ସମ୍ବାଦ କ୍ଲିପ ସେ ସଂଗ୍ରହ କରିଛନ୍ତି । ପିଲାବେଳରୁ ବାପାଙ୍କ ସଂଗ୍ରହ ନିଶା ତାଙ୍କୁ ଅନୁପ୍ରାଣିତ କରିବା ପରେ ତାଙ୍କର ସଂଗ୍ରହରେ ରୁଚି ବଢିଥିଲା  । ତେଣୁ ସେ ତାଙ୍କର ସମସ୍ତ ସଂଗ୍ରହକୁ ନେଇ ଏକ ପ୍ରଦର୍ଶନୀ ଆୟୋଜନ କରିବାକୁ ଇଚ୍ଛା ରଖିଛନ୍ତି ।

ଆଗକୁ  ଶ୍ୟାମପ୍ରକାଶ ଅନ୍ୟ ସବୁ ସଂଗ୍ରହରେ ରେକର୍ଡ କରିବା ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ତେବେ ତାଙ୍କର ଏହି  ନିଆରା ସଂଗ୍ରହ ନିଶା ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଥିବାରୁ ସେ ୱାର୍ଲଡ ରେକର୍ଡସ ଇଣ୍ଡିଆର ମୁଖ୍ୟ ସମ୍ପାଦକ ପୱନ ସୋଲାଙ୍କିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.