fbpx

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠାଇଲେ ନବୀନ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଓଡ଼ିଶା ଗସ୍ତରେ ଆସିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଓ ତାଙ୍କ ଟିମ୍‌ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଦାବି ଦୋହରାଇଥିଲେ ।

ଆସନ୍ତା ଅଗଷ୍ଟ ୭ ତାରିଖରେ ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବାକୁ ଶ୍ରୀ ବେରି ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ । ତାପରେ ଉପାଧ୍ୟକ୍ଷ ଶ୍ରୀ ବେରି ଓ ସଦସ୍ୟ ଭୁବନେଶ୍ୱରସ୍ଥିତ ଓଡ଼ିଶା କ୍ରାଫ୍ଟ ମ୍ୟୁଜିୟମ “କଳାଭୂମି’ ପରିଦର୍ଶନ କରିଥିଲେ । ଓଡ଼ିଶାରେ ପହଞ୍ଚିବା ପରେ ଶ୍ରୀ ବେରି ଓ ସଦସ୍ୟ ବିନୋଦ କେ ପାଉଲଙ୍କ ସହ ନୀତିଆୟୋଗର ଅନ୍ୟ ଅଧିକାରୀମାନେ ଭୁବନେଶ୍ୱର ବିଶ୍ୱ ଦକ୍ଷତାକେନ୍ଦ୍ର ପରିଦର୍ଶନ କରିଥିଲେ । ସେମାନେ ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ଉଦ୍ୟୋଗ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୫- ଟିରେ ରୂପାନ୍ତରିତ ହୋଇଥିବା ଉଚ୍ଚ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ପିିପିଲିଠାରେ ଥିବା ୱେଲନେସ କେନ୍ଦ୍ର ଇତ୍ୟାଦି ସହ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟଗୁଡ଼ିକର ଅନୁଧ୍ୟାନ କରିଥିଲେ ।

ପରେ ଶ୍ରୀ ବେରି ମୁଖ୍ୟ ଶାସନସଚିବ, ଉନ୍ନୟନ କମିଶନର ତଥା ମୁଖ୍ୟଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଲୋକସେବା ଭବନର କନଭେନସନ ହଲରେ ଏକ ବୈଠକରେ ମିଳିତ ହୋଇଥିଲେ । ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନରଙ୍କ ଦ୍ୱାରା ଏକ ପାୱାରପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନସଚିବ ରାଜ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ । ନୀତି ଆୟୋଗ ଉପାଧ୍ୟକ୍ଷ ଏବଂ ଟିମ୍‌ ରାଜ୍ୟ ସରକାରଙ୍କଦ୍ୱାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟଗୁଡ଼ିକର ସଫଳତାକୁ ପ୍ରଶଂସା କରିଥିଲେ । ବିକାଶମୂଳକ କାର୍ଯ୍ୟ ନିମନ୍ତେ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ସେମାନେ ନିରୀକ୍ଷଣ କରିବା ସହ ସଫଳତା ନିମନ୍ତେ ଆଶ୍ୱାସନା ଦେଇଥିଲେ ।

Get real time updates directly on you device, subscribe now.