ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଯେଉଁ ସମୟରେ ପ୍ରବଳ ବର୍ଷା ହେବା କଥା ସେହି ଧାରା ଶ୍ରାବଣରେ ମୌସୁମୀ ଉଭାନ ହୋଇଯାଇଛି । ଟାଣ୍ ଖରାରେ ଡହଳବିକଳ ହେଉଛନ୍ତ ରାଜ୍ୟବାସୀ । ଯେଉଁ ସମୟରେ ଲଗାଣ ବର୍ଷା ଲାଗି ରହିବା କଥା ସେହି ସମୟରେ ଖରାର ଦାଉ ଲୋକଙ୍କୁ କଲବଲ କରୁଛି । ଏଭଳି ସ୍ଥିତି ୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର କୁମାର ଜେନାମଣୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ‘ଓଡ଼ିଶାରେ ମୌସୁମୀ ବାୟୁ ଦୁର୍ବଳ ହୋଇପଡ଼ିଛି । ତେବେ ୫ ତାରିଖ ପର୍ଯ୍ୟନ୍ତ ବର୍ଷାର ବିଶେଷ ସମ୍ଭାବନା ନାହିଁ । ତେବେ ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସମ୍ଭାବନା ରହିଛି । ୬ରୁ ୭ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ଶ୍ରୀ ଜେନାମଣୀ କହିବା ସହ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ମୌସୁମୀ ଅଧା ଶେଷ ହେଲାଣି । ଜୁନ୍ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ଠାରୁ ୮% କମ୍ ବର୍ଷା ହୋଇଛି । ଜୁନରେ ମଧ୍ୟ ଭଲ ବର୍ଷା ହୋଇନାହିଁ । ମାଇନସ୍ ୩୩% ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ହେଲେ ଜୁଲାଇରେ ୨ଟି ଲଘୁଚାପ ଯୋଗୁଁ ଭଲ ବର୍ଷା ହୋଇଥିବା ସେ କହିଛନ୍ତି । ସବୁଠୁ ସୁନ୍ଦରଗଡ଼ ଜିଲ୍ଲାରେ କମ୍ ବର୍ଷା ହୋଇଛି । ସୁନ୍ଦରଗଡ଼ରେ ମାଇନସ୍ ୩୯% ବର୍ଷା ହୋଇଥିବାବେଳେ ଭଦ୍ରକରେ ମାଇନସ ୩୩%, ବାଲେଶ୍ୱରରେ ମାଇନସ ୧୯%, ମୟୁରଭଞ୍ଜରେ ମାଇନସ ୨୮% ଓ ସମ୍ବଲପୁରରେ ମାଇନସ ୨୮% ବର୍ଷା ରେକର୍ଡ କରାଯାଇଛି ।
ତେବେ ଦକ୍ଷିଣ ଓଡ଼ିଶାର ବୌଦ୍ଧ, କଳାହାଣ୍ଡି, ମାଲକାନାଗିରି ଓ ଢେଙ୍କାନାଳ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ସେ କହିଛନ୍ତି । ଜୁନ୍ ୧ରୁ ଅଗଷ୍ଟ ୧ ମଧ୍ୟରେ ରାଜ୍ୟରେ ୫୬୦.୬ ମିଲିମିଟର ବର୍ଷା ହେବା କଥା । କିନ୍ତୁ ତା’ଠାରୁ କମ୍ ବର୍ଷା ହୋଇଛି । ୫ଟି ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ଼, ମୟୁରଭଞ୍ଜ, ଭଦ୍ରକ ଓ ବଲାଙ୍ଗିର ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ତେବେ ୨ ମାସ ମଧ୍ୟରେ ୫୧୨.୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି ।
ଅନ୍ୟପକ୍ଷରେ ବର୍ଷା କମ୍ ଯୋଗୁଁ ଗଜା ମରୁଡ଼ି ଆଶଙ୍କା କରି ପାଣିମୋଟର ସହାୟତାରେ ଚାଷୀ ଜମିକୁ ମଡ଼ାଇ ରୁଆ ଆରମ୍ଭ କରିଛନ୍ତି । କେତେକ ସ୍ଥାନରେ ଜମି ଫାଟି ଆଁ ହେଲାଣି ଓ ଧାନ ତଳି ଜଳିଗଲାଣି । ଗଜା ମରୁଡ଼ି ଆଶଙ୍କାରେ ଚାଷୀମାନେ ବିକଳ୍ପ ପନ୍ଥା ଚିନ୍ତା କରୁଛନ୍ତି । ତେବେ ଏନେଇ ଅଧିକ ଖର୍ଚ୍ଚାନ୍ତ ହେଉଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି ।