ଏକାମ୍ର ହାଟରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦ୍‌ଘାଟିତ, ୩୧ ତାରିଖ ପର୍ଯ୍ୟନ୍ତ ମେଳା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ଗଣେଶ ପୂଜା ଅବସରରେ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା- ୨୦୨୨ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଆୟୋଜନ କରାଯାଇଛି । ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ସମ୍ବଲପୁରୀ ବସ୍ତ୍ରାଳୟର ସଂପାଦକ ସଂପୂର୍ଣ୍ଣାନନ୍ଦ ପ୍ରଧାନ, ଓ ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡର ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ, କଲାହାଣ୍ଡି, ବଲାଙ୍ଗିର ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୫୫ଗୋଟି ସମବାୟ ସମିତି/ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବା ପାଇଁ ଯୋଗଦାନ କରିଛନ୍ତି । ଏଥି ସକାଶେ ସେମାନଙ୍କୁ ୫୫ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି । ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ।