fbpx

ହକି ଇଣ୍ଡିଆର ୨୦୨୩ ବିଶ୍ୱକପ ଯୋଜନାକୁ ମିଳିଲା ସବୁଜ ସଙ୍କେତ, ପ୍ରସ୍ତୁତି ନେଇ ଏଫ୍‌ଆଇଏଚ୍‌ ପ୍ରତିନିଧି ମଣ୍ଡଳୀ ସନ୍ତୁଷ୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହକି ଇଣ୍ଡିଆ ଆୟୋଜନ କରିବା ପାଇଁ ଥିବା ପୁରୁଷ ହକି ବିଶ୍ୱକପ ଯୋଜନା ଉପରେ ମୋହର ମାରିଛି ଇଣ୍ଟରନ୍ୟାସନାଲ ହକି ଫେଡେରେସନ (ଏଫଆଇଏଚ) । ଏହା ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ଆୟୋଜନ ନେଇ ଚାଲିଥିବା ପ୍ରସ୍ତୁତିକୁ ଭୂୟସୀ ପ୍ରଶଂସା କରିଛି ଏଫଆଇଏଚ ।

ସୂଚନା ଯୋଗ୍ୟ ଯେ ହକି ଇଣ୍ଡିଆର କର୍ମକର୍ତ୍ତା ନିର୍ବାଚନ ଓ ନୂଆ ସମ୍ବିଧାନ ପ୍ରସ୍ତୁତିରେ ଅହେତୁକ ବିଳମ୍ବ ନେଇ ଏଫଆଇଏଚ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହିତ ଅସନ୍ତୁଷ୍ଟ ପ୍ରକାଶ କରି ଆସୁଥିଲା । ଏପରିକି ହକି ଇଣ୍ଡିଆକୁ ୨୦୨୩ ହକି ବିଶ୍ୱକପ ଆୟୋଜନରୁ ବଞ୍ଚିତ କରିବା ପାଇଁ ବାରମ୍ବାର ଚେତାବନୀ ଦେଇ ଆସୁଥିଲା । ମାତ୍ର ହକି ଇଣ୍ଡିଆର ସୁପରିଚାଳନା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ପୂର୍ବତନ ବିଚାରପତି (ଅବସରପ୍ରାପ୍ତ) ଅନିଲ ଆର ଡାଭେ, ପୂର୍ବତନ କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର ଏସ.ୱାଇ କ୍ୱେରେସି ଓ ଭାରତୀୟ ହକିର ଅବସରପ୍ରାପ୍ତ ଅଧିନାୟକ ଜାଫର ଇକବାଲଙ୍କୁ ନେଇ ଏକ ତିନି ଜଣିଆ କମିଟ ଅଫ ଆଡମିନଷ୍ଟ୍ରେଟର୍ସ ଗଠନ କରା ଯାଇଛି ।

ଭାରତ ଗସ୍ତରେ ଆସିଥିବା ଏଫଆଇଏଚ ପ୍ରତିନିଧି ମଣ୍ଡଳୀ ବୁଧବାର ହକି ଇଣ୍ଡିଆର ,ମୁଖ୍ୟ କାର୍ଯ୍ୟ ନିର୍ବାହୀ ଥେରି ୱେଲ ଓ କମିଟି ଅଫ ଆଡମିନଷ୍ଟ୍ରେଟର୍ସର ତିନି ସଦସ୍ୟଙ୍କ ସହିତ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ଓ ହକି ଇଣ୍ଡିଆର କର୍ମକର୍ତ୍ତା ନିର୍ବାଚନ ନେଇ ଆଲୋଚନା କରିଛନ୍ତି । ଏଫଆଇଏଚର କାର୍ଯ୍ୟକାରିଣୀ ସଭାପତି ସେଲଫ ଅହମଦ ହକି ଇଣ୍ଡିଆ କର୍ମକର୍ତ୍ତାଙ୍କ ସହିତ ସମସ୍ତ ଦିଗ ଉପରେ ଆଲେଚନା କରି ସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଏହା ବ୍ୟତିତ କେନ୍ଦ୍ର କ୍ରୀଡା ସଚିବ ସୁଜାତା ଚତୁର୍ବେଦୀ ଓ ଓଡିଶା କ୍ରୀଡା ସଚିବ ତଥା କମିଶନର ଆର ଭିନିଲ କ୍ରିଷ୍ନାଙ୍କ ସହିତ ମଧ୍ୟ ଆଗାମୀ ବିଶ୍ୱକପ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ।

ସେହିପରି ଏଫଆଇଏଚ ସଦସ୍ୟ ଓ ହକି ଇଣ୍ଡିଆର କମିଟି ଆଡମିନଷ୍ଟ୍ରେଟର୍ସ ସଦସ୍ୟ ମାନେ ଆସନ୍ତା ସେପ୍ଟେମ୍ବର ୭ ତାରିଖ ଦିନ ରାଉରକେଲା ଗସ୍ତରେ ଯାଇ ସେଠାରେ ୨୦୨୩ ବିଶ୍ୱକପ ପାଇଁ ଚାଲିଥିବା ନବ ନିର୍ମିତ ଷ୍ଟାଡିୟମ ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା ଅନୁଧ୍ୟାନ କରିବେ । ଏହା ସହିତ ସେପ୍ଟେମ୍ବର ୮ ତାରିଖରେ ଏହି ବିଶ୍ୱକପ ପାଇଁ ଭୁବନେଶ୍ୱର ଠାରେ ଅଫିସିଆଲ ଡ୍ର ଉଠାଣ କରିବା ଯୋଜନା ରହିଛି । ଅନ୍ୟ ପକ୍ଷରେ ହକି ଇଣ୍ଡିଆ ଆସନ୍ତା ଅକ୍ଟୋବର ମାସ ୯ ତାରିଖ ସୁଦ୍ଧା ଜାତୀୟ କ୍ରୀଡା ଗାଇଡ ଲାଇନ ଓ ନୀତି ଅନୁଯାୟୀ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛି । ସୂଚନା ଯୋଗ୍ୟ ଯେ ଭାରତୀୟ ଫୁଟବଲ ମହାସଂଘ କର୍ମକର୍ତ୍ତା ନିର୍ବାଚନରେ ଅହେତୁକ ବିଳମ୍ବ କରିବା ଯୋଗୁ ଫିଫା ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂ ନିଲମ୍ବିତ କରିଛି । ତେଣୁ ହକି ଇଣ୍ଡିଆ କର୍ମକର୍ତ୍ତା ନିର୍ବାଚନ ତୁରନ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ସେହିରି ହକି ଇଣ୍ଡିଆ ନୂତନ ସମ୍ବିଧାନର ପ୍ରଥମ ଡ୍ରାଫ୍ଟ ଦାଖଲ କରି ଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ଚୂଡାନ୍ତ ଡ୍ରାଫ୍ଟ ଉପସ୍ଥାପନ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.