fbpx

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଲିଙ୍ଗାୟତ ମଠର ମୁଖ୍ୟ ମହନ୍ତ ଗିରଫ

ବେଙ୍ଗାଲୁରୁ: ବିବାଦରେ କର୍ଣ୍ଣାଟକର ମୁରୁଗା ମଠ । ଏହି ଲିଙ୍ଗାୟତ ମଠର ପ୍ରମୁଖ ସାଧୁ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କୁ ପୁଲିସ ଗିରଫ କରିଛି । ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି । କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ପ୍ରସିଦ୍ଧ ମୁରୁଗା ମଠର ମୁଖ୍ୟ ମହନ୍ତ ହେଉଛନ୍ତି ଶିବମୂର୍ତ୍ତି । ଉକ୍ତ ମଠଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଶିବମୂର୍ତ୍ତିଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏହାପରେ ସୋମବାର ତାଙ୍କୁ ପୁଲିସ ହାବେରି ଜିଲ୍ଲାରୁ ଗିରଫ କରିଛି ।

ସୂଚନା ମୁତାବକ, ଗତ କିଛି ଦିନ ପୂର୍ବ ମଠର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଦୁଇ ଛାତ୍ରୀ ସାଧୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହି ନାବାଳିକା ଦୁଇଜଣ ‘ଓଦାନାଦି ସେବା ସଂସ୍ଥା’ ନାମକ ଏନ୍‌ଜିଓରେ ପହଞ୍ଚି ସବୁକଥା ଜଣାଇଥିଲେ । ଉକ୍ତ ଏନ୍‌ଜିଓ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଘଟଣା ସଂକ୍ରାନ୍ତରେ ଅବଗତ କରାଇବା ପରେ ସାଧୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଅଭିଯୋଗ ଅନୁସାରେ, ମୁରୁଗା ମଠଦ୍ୱାରା ପରିଚାଳିତ ଛାତ୍ରାବାସରେ ରହୁଥିବା ୧୫ ଓ ୧୬ ବର୍ଷୀୟ ଉକ୍ତ ନାବାଳିକା ଦୁଇଜଣ ସାଢ଼େ ୩ ବର୍ଷରୁ ଅଧିକ କାଳ ହେବ ଯୌନ ନିର୍ଯ୍ୟାତନାର ଶିକାର ହୋଇ ଆସୁଥିଲେ । ଅଭିଯୋଗ ଆଧାରରେ ମୌସୁର ପୁଲିସ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା । ପୋକ୍ସ ଆଇନ ଆଧାରରେ ଏହି ମାମଲା ରୁଜୁ କରାଯାଇଥିଲା । ଅନେକ ବର୍ଷ ହେଲାଣି ମଠରେ ଏଭଳି ଅପକର୍ମ ଚାଲିଛି । କିନ୍ତୁ, ଭୟରେ ପିଲାମାନେ କିଛି କହିପାରୁ ନାହାନ୍ତି । ଆମେ କୌଣସି ଚାପ ଅଥବା ଧମକ ଭୟରେ ଦୁର୍ବଳ ହୋଇପଡ଼ିବୁ ନାହିଁ । ପିଲାମାନଙ୍କର ଅଧିକାର ସୁରକ୍ଷିତ ରଖିବା ସମାଜର କର୍ତ୍ତବ୍ୟ । ଆମେ ଏଥ୍ରିତି ପ୍ରତିବଦ୍ଧ ବୋଲି ଏନ୍‌ଜିଓ ସଂସ୍ଥା ‘ଓଦାନାଦି ସେବା ସମିତି’ର ମୁଖ୍ୟ ଷ୍ଟେନ୍‌ଲି କହିଛନ୍ତି ।

Get real time updates directly on you device, subscribe now.