fbpx

ଏହାକୁ କୁହନ୍ତି ଟ୍ୟାଲେଣ୍ଟ: ଯୁବକଙ୍କ ଆଖିକୁ କିଛି ଦିଶୁ ନାହିଁ, ତଥାପି କମ୍ପାନୀ ଦେଲା ୪୭ ଲକ୍ଷର ପ୍ୟାକେଜ୍

ନୂଆଦିଲ୍ଲୀ: ଆଜିକାଲି ଅନେକ ବଡ଼ ବଡ଼ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀରେ ଯୁବକ, ଯୁବତୀମାନେ ହାଇ ପ୍ୟାକେଜରେ ଜବ କରୁଥିବା ଆପଣମାନେ ଜାଣିଥିବେ । ତେବେ ଜଣେ ବ୍ୟକ୍ତିଙ୍କ ଆଖିକୁ ଦେଖାଯାଉ ନଥିଲେ ବି କମ୍ପାନୀ ତାଙ୍କୁ ବଡ଼ ପ୍ୟାକେଜରେ ଚାକିରିରେ ରଖିଛି । ଜଣେ ୨୫ ବର୍ଷୀୟ ଯୁବକ ଏକ କମ୍ପାନୀର ବେଙ୍ଗାଲୁରୁ ସ୍ଥିତ ଅଫିସରେ ଚାକିରି କରିବାକୁ ଯାଉଛନ୍ତି । ଏହି ଘଟଣାକୁ ସମସ୍ତଙ୍କୁ ଚକିତ କରିଦେଇଛି ।

ଗ୍ଲୁକୋମା ନାମକ ଏକ ଜନ୍ମଜାତ ରୋଗ କାରଣରୁ ଇନ୍ଦୋରର ୟଶ ସୋନକିୟା ନାମକ ଜଣେ ଯୁବକ ମାତ୍ର ୮ ବର୍ଷ ବୟସରେ ନିଜ ଆଖିର ଦୃଷ୍ଟିଶକ୍ତି ହରାଇଥିଲେ । ମାତ୍ର ସେ ହାର ମାନି ନଥିଲେ । ସେ ଜୀବନରେ ବହୁ ସଂଘର୍ଷ କରି ଆଜି ୪୭ ଲକ୍ଷ ଟଙ୍କା ପ୍ୟାକେଜରେ ଆଇଟି କମ୍ପାନୀ ମାଇକ୍ରୋସଫ୍ଟରେ ଚାକିରି ପାଇଛନ୍ତି ।

ଗତ ବର୍ଷ ୟଶ ଶ୍ରୀ ଜିଏସ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସରୁ ବି.ଟେକ୍ କରିଥିଲେ । ତେବେ ପ୍ରାରମ୍ଭିକ ଭାବେ ୟଶଙ୍କୁ ଘରେ ରହି କାମ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି । ଆଜି ସଫଳତାର ଶୀର୍ଷରେ ପହଞ୍ଚିବା ପରେ ୟଶ ଚାରିଆଡ଼ୁ ପ୍ରଶଂସା ସାଉଁଟୁଥିବା ବେଳେ ତାଙ୍କର ଏହି ଯାତ୍ରା ଆଦୌ ସହଜ ନଥିଲା ।

ବିଶେଷ ଟେକନିକ ଯୁକ୍ତ ସ୍କ୍ରିନରିଡର ସଫ୍ଟୱେୟର ସହାୟତାରେ ୟଶ ବି.ଟେକ ପଢ଼ା ସମାପ୍ତ କରିଥିଲେ । ପାଠପଢ଼ା ଶେଷ ହେବା ପରେ ସେ ଚାକିରି ଖୋଜିବା ସହ କୋଡିଂ ଶିଖିଥିଲେ ଓ ମାଇକ୍ରୋସଫ୍ଟରେ ଚାକିରି ପାଇଁ ଆବେଦନ କରିଥିଲେ । ୟଶଙ୍କ ବାପା ଏକ କ୍ୟାଣ୍ଟିନ ଚଳାଉଥିବା ବେଳେ ସେ ତାଙ୍କର ପୁତ୍ରକୁ ବଡ଼ ମଣିଷ କରିବା ପାଇଁ ପିଲାବେଳୁ ସ୍ୱପ୍ନ ଦେଖିଥିଲେ ।

Get real time updates directly on you device, subscribe now.