Navaratriରେ DA ଘୋଷଣା କରିବେ ମୋଦୀ ସରକାର! ୨୭,୩୧୨ ଟଙ୍କା ବଢ଼ିଯିବ କର୍ମଚାରୀଙ୍କ ବେତନ

ନୂଆଦିଲ୍ଲୀ: ଆଗକୁ ଆସୁଛି ନବରାତ୍ରି । ଏହି ଅବସରରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା କରିପାରନ୍ତି । ଅର୍ଥାତ ଚଳିତ ମାସ ଶେଷ ସୁଦ୍ଧା ବୃର୍ଦ୍ଧିତ ଡିଏ ଘୋଷଣା ହୋଇପାରେ । ଯଦି ଏପରି ହୁଏ ତେବେ ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିପାରେ । ଏକ ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ଏଥର ୪ ପ୍ରତିଶତ ଡିଏ ବୃଦ୍ଧି କରିବେ । ଏହାଫଳରେ କର୍ମଚାରୀଙ୍କ ମୋଟ ଡିଏ ୩୮ ପ୍ରତିଶତ ହୋଇଯିବ ।

ମହଙ୍ଗା ଭତ୍ତା ବୃଦ୍ଧି ହେଲେ ଏହାର ଫାଇଦା ପାଖାପାଖି ୫୦ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନଧାରୀଙ୍କୁ ମିଳିବ । ଆସନ୍ତା ଅକ୍ଟୋବର ମାସ ୧ ତାରିଖରେ ବୃର୍ଦ୍ଧିତ ଡିଏ ସହିତ ନୂଆ ସାଲାରି ମିଳିପାରେ । ଏଥିସହିତ କର୍ମଚାରୀଙ୍କୁ ପୂର୍ବ ଦୁଇ ମାସର ଡିଏ ଏରିଅର ମଧ୍ୟ ଦିଆଯିବ । ମୋଟ ଡିଏ ୩୮ ପ୍ରତିଶତରେ ପହଞ୍ଚିବା ପରେ କର୍ମଚାରୀଙ୍କ ବାର୍ଷିକ ବେତନରେ ୨୭,୩୧୨ ଟଙ୍କା ବୃଦ୍ଧି ଘଟିବ ।

ସପ୍ତମ ବେତନ କମିସନ ଅନୁଯାୟୀ, ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀ ୩୪ ପ୍ରତିଶତ ହିସାବରେ ଡିଏ ଓ ଡିଆର ପାଉଛନ୍ତି । ଆସନ୍ତା ମାସ ପରେ ଏହା ୩୮ ପ୍ରତିଶତ ହେବାର ସମ୍ଭାବନା ରହିଛି । ଯଦି ଜଣେ କର୍ମଚାରୀଙ୍କ ବେସିକ ସାଲାରି ୫୬,୯୦୦ ଟଙ୍କା ହୋଇଥିବ, ତେବେ ୩୮ ପ୍ରତିଶତ ଡିଏ ହିସାବରେ ତାଙ୍କ ଖାତାକୁ ୨୧,୬୨୨ ଟଙ୍କା ଡିଏ ଅର୍ଥ ଆସିବ । ବର୍ତ୍ତମାନ ସମସ୍ତ କର୍ମଚାରୀଙ୍କୁ ୩୪ ପ୍ରତିଶତ ଡିଏ ହିସାବରେ ୧୯,୩୪୬ ଟଙ୍କା ମିଳୁଛି ।