କଟକ(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଆଜି ଦୁହେଁ କଟକ ପରିବାର ଅଦାଲତରେ ହାଜର ହୋଇଥିଲେ । କଟକ ପରିବାର ଅଦାଲତରେ ବର୍ଷା ସତ୍ୟପାଠ ଦାଖଲ କରିଛନ୍ତି । ମିଥ୍ୟା ତଥ୍ୟ ନଦେବାକୁ ସତ୍ୟପାଠ ଦାଖଲ କରିଛନ୍ତି ବର୍ଷା ।
ଏହା ସହିତ ବିଚାର ପ୍ରକ୍ରିୟାରେ ସହଯୋଗ କରିବାକୁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ବର୍ଷା । ଅଯଥା ସମୟ ନନେବାକୁ ମଧ୍ୟ ବର୍ଷା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।
ତେବେ ପୂର୍ବରୁ ବାରମ୍ବାର ତାରିଖ ଧାର୍ଯ୍ୟ ପରେ ବି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା କୋର୍ଟ ଆସୁନଥିଲେ । ସେହିପରି ଅନୁଭବ ମଧ୍ୟ ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ୍ ଦର୍ଶାଇଥିଲେ । ଏହାକୁ ନେଇ ଉଭୟେ ବର୍ଷା ଓ ଅନୁଭବଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ପରିବାର ଅଦାଲତ । ଅଯଥାରେ କୋର୍ଟଙ୍କ ସମୟ ବିଳମ୍ବ କରିଥିବାରୁ ଉଭୟେ ଏହି ଟଙ୍କା ଗଣିବେ ବୋଲି ଜଣାପଡ଼ିଛି । ଉଭୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନ ଓ ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନକୁ ଗ୍ରହଣ କରାଯାଇଛି ।