fbpx

(Video) ମୁଁ ଗୋଟିଏ ବଡ଼ ଅଫିସର ହେବି: ପୁଣି ସାମ୍ନାକୁ ଆସିଲେ ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବ୍ରହ୍ମପୁରର ତପସ୍ୱିନୀ ଦାଶ । ସ୍ତ୍ରୀର ଅଧିକାର ପାଇବା ଦାବିରେ ତପସ୍ୱିନୀ ତାଙ୍କ ସ୍ୱାମୀ ଡାକ୍ତର ସୁମିତ ସାହୁଙ୍କ ଘର ଆଗରେ ମାସାଧିକ କାଳ ଧାରଣାରେ ବସି ରହିଥିଲେ । ଏହି ଘଟଣାକୁ ନେଇ ସେ ସମୟରେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତପସ୍ୱିନୀଙ୍କୁ ସୁମିତ ପ୍ରତି ମାସରେ ଭରଣପୋଷଣ ବାବଦକୁ ୧୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ଏବେ ତପସ୍ୱିନୀ ଶ୍ୱଶୁର ଘରେ ଏକା ରହୁଥିବା ବେଳେ ତାଙ୍କର ସ୍ୱାମୀ ସୁମିତ ଅନ୍ୟତ୍ର ରହୁଛନ୍ତି ।

ତେବେ ବହୁଦିନ ପରେ ଏହା ମଧ୍ୟରେ ସାମ୍ନାକୁ ଆସିଛନ୍ତି ତପସ୍ୱିନୀ । ତପସ୍ୱିନୀ କହିଛନ୍ତି, ମୁଁ ଗୋଟିଏ ବଡ଼ ଅଫିସର ହେବି । ତେଣୁ ପରୀକ୍ଷା ପାଇଁ ଆବଶ୍ୟକ ବହି କିଣି ମୁଁ ପ୍ରସ୍ତୁତି ଚଳାଇଛି । ଗୋଟିଏ ବଡ଼ ଚାକିରି କରି ମୁଁ ଏ ଦୁନିଆକୁ ଦେଖାଇବି ଆଉ ଲୋକଙ୍କର ସେବା କରିବି । ମୁଁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛି । ସେଥିପାଇଁ ମୁଁ କଠିନ ପରିଶ୍ରମ କରି ପାଠ ପଢ଼ୁଛି ।

ସୂଚନାଯୋଗ୍ୟ ଯେ, ଗତ ମାସରେ ମଧ୍ୟ ସାମ୍ନାକୁ ଆସିଥିଲେ ତପସ୍ୱିନୀ । ବର୍ତ୍ତମାନ ବ୍ରହ୍ମପୁରର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଥିବା କେ.ଦୀପିକାଙ୍କ ପ୍ରସଙ୍ଗକୁ ନେଇ ସେ ଭିଡିଓ ମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଥିଲେ । ଦିନେଶଙ୍କ ଓକିଲ ସିଧାସଳଖ ତପସ୍ୱିନୀଙ୍କୁ ଆକ୍ଷେପ କରିଥିଲେ । ତେଣୁ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ତପସ୍ୱିନୀ । ତାଙ୍କର ବ୍ୟକ୍ତିଗତ ବିଷୟରେ ଆକ୍ଷେପ କରିବା କି ତାଙ୍କର ନାମ ବ୍ୟବହାର କରିବା ଅଧିକାର କାହାର ନାହିଁ । ଏଥିରୁ ନିବୃତ୍ତ ରହିବାକୁ ସେ ଅନୁରୋଧ କରିବା ସହ ଦରକାର ପଡ଼ିଲେ ଆଇନର ଆଶ୍ରୟ ନେବେ ବୋଲି ତପସ୍ୱିନୀ କହିଥିଲେ ।

Get real time updates directly on you device, subscribe now.