୩୮୦ ନିୟୁତ ବର୍ଷ ତଳର ଏକ ପ୍ରାଚୀନ ହନୁହାଡ଼ଯୁକ୍ତ ମାଛର ଜୀବାଶ୍ମରେ ବିଶ୍ୱର ସର୍ବପ୍ରାଚୀନ ହୃତପିଣ୍ଡ ଆବିଷ୍କୃତ ହୋଇଛି । ଜୀବାଶ୍ମଟି ଅତ୍ୟନ୍ତ ସୁନ୍ଦର ଭାବେ ସୁରକ୍ଷିତ ରହିଛି । କର୍ଟିନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ହୃତପିଣ୍ଡକୁ ଏକ ଅଲଗା ଜୀବାଶ୍ମୀକୃତ ପେଟ, ଇଣ୍ଟେଷ୍ଟାଇନ୍ ଓ ଯକୃତ ସହିତ ପାଇଛନ୍ତି । ଏହି ଅଙ୍ଗଗୁଡ଼ିକର ସ୍ଥିତି ଆଧୁନିକ ଶାର୍କର ଶରୀର ସଂରଚନା ଭଳି । ମଣିଷ ଶରୀର ବିକାଶ ଉପରେ ଏହି ଆବିଷ୍କାର ଆଲୋକପାତ କରିବ ବୋଲି ଗବେଷକ ଟିମ୍ ଆଶା କରୁଛନ୍ତି । ଅଧ୍ୟୟନର ମୁଖ୍ୟ ପ୍ରଫେସର ଟ୍ରିନାଜ୍ଷ୍ଟିକ୍ କହିଛନ୍ତି, ହନୁହାଡ଼ଯୁକ୍ତ ଓ ହନୁହାଡ଼ ରହିତ ମେରୁଦଣ୍ଡୀ ପ୍ରାଣୀଙ୍କ ମଧ୍ୟରେ ଏକ ବୃହତ୍ ବ୍ୟବଧାନ ଥିଲା ବୋଲି ଏହି ପ୍ରାଚୀନ ଜୀବାଶ୍ମ ସୂଚନା ଦେଇଛି ।
ବର୍ତ୍ତମାନ ଶାର୍କଙ୍କ ଭଳି ଏହି ମାଛଙ୍କର ହୃତପିଣ୍ଡ ସେମାନଙ୍କ ପାଟି ଓ ଗାଲି ତଳେ ରହିଛି । ପଶ୍ଚିମ ଅଷ୍ଟ୍ରେଲିଆର କିମ୍ବଲି ଅଞ୍ଚଳର ଗୋଗୋ ଫର୍ମେସନରେ ଗବେଷକମାନେ ଏହି ଜୀବାଶ୍ମ ପାଇଛନ୍ତି । ୩୮୦ ନିୟୁତ ବର୍ଷ ତଳୁ ଏକ ଚଟାଣ ତଳେ ଏହା ରହିଥିଲା । ପ୍ରାଚୀନ ପ୍ରଜାତିଙ୍କର ନରମ ଟିସୁଗୁଡ଼ିକ କ୍ୱଚିତ୍ ସଂରକ୍ଷିତ ରହିଥାଏ ।
କିନ୍ତୁ ଏହି ଜୀବାଶ୍ମୀକୃତ ଅଙ୍ଗଗୁଡ଼ିକ ଏବେ ବି ସୁରକ୍ଷିତ ରହିଥିବା ଦେଖି ବୈଜ୍ଞାନିକମାନେ ଚକିତ ହୋଇଛନ୍ତି । ଗୋଗୋ ମାଛଙ୍କ ମାମଲାରେ ବ୍ୟତିକ୍ରମ ହେଉଛି, ସେମାନଙ୍କ ନରମ ଟିସୁ ୩ଟି ଆକାରରେ ସଂରକ୍ଷିତ ରହିଥାଏ ବୋଲି ଅଧ୍ୟୟନର ସହ-ଲେଖକ ଉପସାଲା ବିଶ୍ୱବିଦ୍ୟାଳୟର ପ୍ରଫେସର ପରଅଲ୍ବର୍ଗ କହିଛନ୍ତି । ଗବେଷକମାନେ ଜୀବାଶ୍ମ ଅବଶେଷ ଗୁଡ଼ିକୁ ସ୍କାନ୍ କରିବା ପାଇଁ ନ୍ୟୁଟ୍ରନ୍ ବିମ୍ ଓ ସିଙ୍କ୍ରୋଟ୍ରନ୍ ଏକ୍ସ-ରେ ପ୍ରୟୋଗ କରିଥିଲେ, ଯାହା ଏବେ ବି ଚୂନ ପଥରରେ ଦବି ରହିଥିଲା । ଏହା ଭିତରେ ଥିବା ନରମ ଟିସୁଗୁଡ଼ିକର ୩ଡି ଚିତ୍ର ପ୍ରସ୍ତୁତିରେ ଏହା ସହାୟକ ହୋଇଥିଲା ।
ଏହିସବୁ ଅତ୍ୟାଧୁନିକ ସ୍କାନିଂ ଟେକ୍ନୋଲୋଜି ଜରିଆରେ ସେମାନେ ଅତ୍ୟନ୍ତ ଭଙ୍ଗୁର ନରମ ଟିସୁଗୁଡ଼ିକୁ ନଷ୍ଟ ନ କରି ଅଧ୍ୟୟନ କରିପାରିଛନ୍ତି । କିନ୍ତୁ ଦୁଇ ଦଶନ୍ଧି ପୂର୍ବରୁ ଏହା ଅସମ୍ଭବ ଥିଲା ବୋଲି ଅଲ୍ବର୍ଗ କହିଛନ୍ତି । ୩ଡି ଚିତ୍ରରୁ ଜଣାପଡ଼ିଲା, ମାଛର ଦୁଇଟି ଚାମ୍ବରଯୁକ୍ତ ଏକ ଜଟିଳ ଇଂରାଜୀ ଅକ୍ଷର ‘ଏସ୍’ ଆକୃତିର ହୃତ୍ପିଣ୍ଡ ଥିଲା । ଛୋଟ ଚାମ୍ବର ଏହାର ଶୀର୍ଷରେ ଥିଲା । ଏ ପ୍ରକାର ପ୍ରାରମ୍ଭିକ ମେରୁଦଣ୍ଡୀଙ୍କ ମାମଲାରେ ଏହା ଉନ୍ନତ ଜୀବ ଥିଲା ବୋଲି ପ୍ରଫେସର ତ୍ରିନାଜ୍ଷ୍ଟିକ୍ କହିଛନ୍ତି । ପ୍ରଥମ ଥର ଏକ ଆଦିମ ହନୁହାଡ଼ଯୁକ୍ତ ମାଛରେ ଏକସଙ୍ଗେ ସମସ୍ତ ଅଙ୍ଗ ଦେଖିବାକୁ ମିଳିଛି । ସେମାନେ ଆମଠାରୁ ବେଶି ଭିନ୍ନ ନ ଥିଲେ ବୋଲି ତ୍ରିନାଜଷ୍ଟିକ୍ କହିଛନ୍ତି ।