fbpx

ଧ୍ୱଂସ ପାଇବ କି ପ୍ରାଚୀନ କୀର୍ତ୍ତିରାଜି? ବିପଦରେ ଓଡ଼ିଶାର ଅନନ୍ୟ ବହୁ ପୁରାତନ ଜଗନ୍ନାଥ ମନ୍ଦିର

ଗଞ୍ଜାମ: ଲୋକକଥା ଅନୁଯାୟୀ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ତଥା ବହୁ ପୁରାତନ ଜଗନ୍ନାଥ ମନ୍ଦିର ହେଉଛି ଖଲ୍ଲିକୋଟର ଶ୍ରୀ ଜଗନ୍ନାଥ ମନ୍ଦିର । ମାନ୍ୟତା ରହିଛି ଯେ, ମହାପ୍ରଭୁ ଜଗନ୍ନାଥଙ୍କର ଖଲ୍ଲିକୋଟରେ ଥିବା ଏହି ମନ୍ଦିର ହେଉଛି ପ୍ରାୟ ୩୦୦ ବର୍ଷର ପୁରୁଣା ମନ୍ଦିର । ଏହି ପୁରାତନ ମନ୍ଦିରର ଅନନ୍ୟ କାରୁକାର୍ଯ୍ୟ ବିମଣ୍ଡିତ ରହିଛି । ସମ୍ପୂର୍ଣ୍ଣ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମିତ ହୋଇଛି ମହାପ୍ରଭୁଙ୍କର ଏହି ଅନନ୍ୟ ମନ୍ଦିର । ସେଥିପାଇଁ ଏହାକୁ ମହାପ୍ରଭୁଙ୍କର ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ । କିନ୍ତୁ ଏହି ଓଡିଶାର ଐତିହ୍ୟ ମନ୍ଦିର ଅବହେଳିତ ହୋଇପଡିଛି ।

ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ପ୍ରତି ଏବେ ବିପଦ ଘନେଇଲାଣି ବୋଲି କୁହାଯାଉଛି । ରକ୍ଷଣାବେକ୍ଷଣ ଅଭାବରୁ ଆଜି ଭୁଷୁଡିବା ଅବସ୍ଥାକୁ ଚାଲି ଆସିଲାଣି ଏହି ମନ୍ଦିର । ବର୍ଷାଦିନରେ ସାମାନ୍ୟ ବର୍ଷା ହେଲେ ଗର୍ଭଗୃହ, ସିଂହାସନ, ସିଂହଦ୍ୱାର, ଚନ୍ଦନ ଅର୍ଗଳି ପ୍ରଭୃତିରେ ପାଣି ଗଳିବା ଆରମ୍ଭ ହୁଏ । ସମ୍ପୂର୍ଣ୍ଣ ପଥରରେ ନିର୍ମିତ ଏହି ମନ୍ଦିରରେ ପାଣି ଗଳି ସପୋର୍ଟିଂ ଲୁହା ଖାଇଯିବା ଦ୍ୱାରା ଦୁର୍ବଳ ହୋଇ ପଡ଼ିଲାଣି । ଯାହାଦ୍ୱାରା ବର୍ତ୍ତମାନ ପଥର ଖସିବା ମଧ୍ୟ ଆରମ୍ଭ ହୋଇ ଗଲାଣି । ତେଣୁ ମନ୍ଦିର ପ୍ରତି ଘୋର ବିପଦ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି । ଆଜି ମନ୍ଦିରର ସିଂହଦ୍ୱାର ଗୁମୁଟର ଦୁଇଟି ସ୍ଥାନରୁ ପଥର ଖସିପଡିଥିଲା । ସବୁ ଦିନ ରାତିରେ ସେହି ସ୍ଥାନରେ ମନ୍ଦିର ପାଇକ କୁଞ୍ଜ ବାରିକ ଶୋଉଥିବା ବେଳେ ସୌଭାଗ୍ୟ ବଶତଃ ଗତ ରାତିରେ ସେଠାରେ ଶୋଇ ନ ଥିଲେ ।

ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପଥରକୁ ପଥର ଯୋଡ଼େଇ ହୋଇ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଗୋଟିଏ ପଥର ଖସିଲେ ଅନ୍ୟ ପଥର ଗୁଡିକ ପ୍ରତି ବିପଦ ସୃଷ୍ଟି ହେବା ସହ ଯେ କୌଣସି ସମୟରେ ମନ୍ଦିର ଭୁଷୁଡି ଯାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଖଲ୍ଲିକୋଟର ଶ୍ରୀ ଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ସରକାର ରାଜ୍ୟରେ ଥିବା ଅନ୍ୟାନ୍ୟ ମନ୍ଦିରର ରୂପାନ୍ତରୀକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଉଥିବା ବେଳେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପ୍ରତି କାହିଁକି ଏ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ସେ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ।ହା ତେବେ ରାଜ୍ୟ ସରକାର ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପ୍ରତି ଦୃଷ୍ଟି ଦେଇ ଏହାକୁ ୫ଟି ରେ ସାମିଲ କରି ଏହାର ରୂପାନ୍ତରିକରଣ କରିବା ପାଇଁ ଜଗନ୍ନାଥ ପ୍ରେମୀଙ୍କ ତରଫରୁ ଦାବୀ ହେଉଛି । ଅନ୍ୟଥା ତତ୍କାଳୀନ ରାଜାବାହାଦୁର ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଖଲ୍ଲିକୋଟ ର ଏହି ପ୍ରାଚୀନ କୀର୍ତ୍ତିରାଜି ନିକଟ ଭବିଷ୍ୟତରେ ଧ୍ୱଂସ ପାଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ।

Get real time updates directly on you device, subscribe now.