fbpx

ଧାମନଗର ବିଧାନସଭା ଆସନ ଖାଲି ହେବା ନେଇ ବିଜ୍ଞପ୍ତି ଜାରି

ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ଧାମନଗର ବିଧାନସଭା ଆସନର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ସେହି ଆସନ ଖାଲିପଡ଼ିଛି । ଏଠାରେ ସାନି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି । ଗତ ୧୯ ତାରିଖରେ ବିଧାୟକ ସ୍ୱର୍ଗତ ସେଠୀଙ୍କ ପରଲୋକ ଘଟିଥିଲା ।

ଭୁବନେଶ୍ୱରର ଏମ୍ସରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଏହି ଆସନଟି ଖାଲି ପଡ଼ିଛି । ମାସାଧିକକାଳ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । କିଡନୀ ସମସ୍ୟା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ୨ରୁ ୩ ବର୍ଷ ମଧ୍ୟରେ ରାଜ୍ୟର ଅନେକ ତୁଙ୍ଗ ନେତାଙ୍କ ପରଲୋକ ଘଟିଛି ।

ଏହା ଭିତରେ ୫ ଜଣ ବିଧାୟକ ଆଖି ବୁଜିଛନ୍ତି । ସେମାନଙ୍କ ମଧ୍ୟରେ ବିଷ୍ଣୁ ଦାସ, ପ୍ରଦୀପ ମହାରଥି, ମଦନ ମୋହନ ଦତ୍ତ, କିଶୋର ମହାନ୍ତି ଏବଂ ବିଷ୍ଣୁ ସେଠୀ ରହିଛନ୍ତି । ସେପଟେ ନିର୍ବାଚନ କମିଶନଙ୍କ ନିୟମ ମୁତାବକ, କୌଣସି ଆସନ ୬ ମାସରୁ ଅଧିକ ସମୟ ଖାଲି ପଡ଼ିପାରିବ ନାହିଁ । ତେଣୁ ୬ ମାସ ମଧ୍ୟରେ ନିର୍ବାଚନ ହେବା ନେଇ ନିୟମ ରହିଛି ।

Get real time updates directly on you device, subscribe now.