fbpx

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଥରୁରଙ୍କୁ ଝଟକା, ଗେହଲଟଙ୍କ ସମର୍ଥନରେ ଆସିଲେ କେରଳ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢେଇ ରୋଚକ ହେବାରେ ଲାଗିଛି। ସାଂସଦ ଶଶି ଥରୁର ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହୋଇପାରେ। ଥରୁର ଏନେଇ ପୂରା ପ୍ରସ୍ତୁତି କରି ସାରିଛନ୍ତି। ଅନ୍ୟପକ୍ଷେ ଜୟପୁରରେ ଆଜି କଂଗ୍ରେସର ବିଧାୟକ ଦଳର ବୈଠକ ହେବାକୁ ଯାଉଛି। ବୈଠକରେ ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଏବଂ ଗେହଲଟଙ୍କ ଇସ୍ତଫା ଘୋଷଣା ହୋଇପାରେ। ଏହି ସବୁ ମଧ୍ୟରେ ପାର୍ଟିର ଅନେକ ନେତା ଗେହଲଟଙ୍କୁ ନେହେରୁ-ଗାନ୍ଧୀ ପରିବାରର ସବୁଠୁ ବିଶ୍ଵସ୍ତ ଦର୍ଶାଇ ତାଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି। ସେପଟେ ଥରୁରଙ୍କୁ ଝଟକା ଲାଗିଛି।

କେରଳ କଂଗ୍ରେସର ନେତା ସାଂସଦ କନ୍ନୌଥ ମୁରଲୀଧରଣ କହିଛନ୍ତି, କଂଗ୍ରେସ ସାଂସଦ ଥରୁର ପାର୍ଟି ପ୍ରମୁଖର ନିର୍ବାଚନ ଲଢି ପାରନ୍ତି। କାରଣ ସୋନିଆ ଗାନ୍ଧୀ ସ୍ପଷ୍ଟ କହିଛନ୍ତି ଯେ, କେହି ବି ନିର୍ବାଚନ ଲଢିପାରିବେ। ଗେହଲଟଙ୍କ ଜିତିବା ସମ୍ଭାବନା ଆଡକୁ ଇସାରା କରି ମୁରଲୀଧରଣ କହିଛନ୍ତି, ଅଶୋକ ଗେହଲଟ ଖୋଲାଖୋଲି କହି ସାରିଛନ୍ତି ଯେ, ସେ ନେହେରୁ-ଗାନ୍ଧୀ ପରିବାରର ସବୁଠୁ ବଡ ବିଶ୍ଵସ୍ତ। ଏମିତିରେ ଯଦି ସେ ନାମାଙ୍କନ ପତ୍ର ଦାଖଲ କରନ୍ତି ତେବେ ଆମର ଭୋଟ୍ ଅଶୋକ ଗେହଲଟଙ୍କ ସପକ୍ଷରେ ପଡିବ। ସେ ଜଣେ ବରିଷ୍ଠ ବ୍ୟକ୍ତି ଏବଂ ଏହି ପଦ ସମ୍ଭାଳିବା ପାଇଁ ସକ୍ଷମ। ରାହୁଲ ଗାନ୍ଧୀ ଦଳର ନେତୃତ୍ଵ ନେବେ ମାତ୍ର ସେ ଆନୁଷ୍ଠାନିକ ଭାବେ ପଦ ଗ୍ରହଣ କରିବେ ନାହିଁ।

କଂଗ୍ରେସରେ ବର୍ତ୍ତମାନ ଗେହଲଟଙ୍କ ପତିଆରା ଥରୁରଙ୍କ ଅପେକ୍ଷା ଅଧିକ ରହିଛି। ରାହୁଲ ଗାନ୍ଧୀଙ୍କ ପରେ ଅଶୋକ ଗେହଲଟ ପାର୍ଟିରେ ସବୁଠୁ ପସନ୍ଦର ଅଧ୍ୟକ୍ଷ ପଦର ପ୍ରାର୍ଥୀ। ଅନେକ ରାଜ୍ୟ କଂଗ୍ରେସ ଏବଂ ବହୁ ନେତା ମଧ୍ୟ ରାହୁଲ ନହେଲେ ଗେହଲଟ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବା ସପକ୍ଷରେ ଅଛନ୍ତି। ଏପରିକି ନିଜ କେରଳ ରାଜ୍ୟର ନେତା ମଧ୍ୟ ଗେହଲଟଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି। ଏମିତିରେ ଥରୁର ସଂପୂର୍ଣ୍ଣ ଏକ ଘରିଆ ହୋଇ ରହି ଯାଉଥିବା ପ୍ରତୀତମାନ ହେଉଛି।

ରାଜସ୍ଥାନ ସରକାରର ଅନେକ ମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୁଇ ପଦରେ ରଖିବାକୁ ଦାବି କରୁଛନ୍ତି। କିନ୍ତୁ ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ, ଦଳ ଉଦୟପୁର ସମ୍ମିଳନୀରେ ଗୃହୀତ ଜଣେ ବ୍ୟକ୍ତି ଗୋଟିଏ ପଦ ସିଦ୍ଧାନ୍ତକୁ ନେଇ ଦଳ ଆଗକୁ ବଢିବ। ତେବେ ଆଉ ଗୋଟିଏ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଗେହଲଟଙ୍କୁ ଅଧ୍ୟକ୍ଷ ସହ ମୁଖ୍ୟମନ୍ତ୍ରୀ ପଦରେ ରଖାଗଲେ ଭଲ ହୁଅନ୍ତା ବୋଲି ରାଜ୍ୟ ବିପର‌୍ୟ୍ୟୟ ପରିଚାଳନ ମନ୍ତ୍ରୀ ରାମ ମେଘଓ୍ଵାଲ କହିଛନ୍ତି। ମୋଟାମୋଟି କହିବାକୁ ଗଲେ ଅଧ୍ୟକ୍ଷ ପଦ ନିର୍ବାଚନରେ ଅଶୋକ ଗେହଲଟଙ୍କ ପଲ୍ଲା ଥରୁରଙ୍କ ଅପେକ୍ଷା ବହୁତ ଭାରି ରହିଛି।

Get real time updates directly on you device, subscribe now.