fbpx

AAPକୁ ଲାଗିଲା ବଡ଼ ଝଟକା: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ)କୁ ଲାଗିଛି ବଡ଼ ଝଟକା । ଦିଲ୍ଲୀର ଉପରାଜ୍ୟପାଳ (ଏଲଜି) ବିନୟ କୁମାର ସକ୍ସେନାଙ୍କ ବିରୋଧରେ କରାଯାଇଥିବା ଆପତ୍ତିଜନକ ଓ ବିବାଦୀୟ ପୋଷ୍ଟକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଥିସହିତ କୋର୍ଟ ଏଲଜିଙ୍କ ସପକ୍ଷରେ ଅନ୍ତରୀଣ ଆଦେଶ ଜାରି କରିଛନ୍ତି ।

ଏଲଜି ବିନୟଙ୍କ ଓକିଲଙ୍କ ପକ୍ଷରୁ ପୂର୍ବରୁ ଆପର ୫ ଜଣ ବଡ଼ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଯାଇଥିଲା । ଉପରାଜ୍ୟପାଳଙ୍କ ବିରୋଧରେ ଭ୍ରମାତ୍ମକ ଓ ମିଥ୍ୟା ଗୁଜବ ପ୍ରଚାର କରାଯାଉଥିବା ଅଭିଯୋଗ କରାଯାଇଥିଲା । ଏପରି ଅସତ୍ୟ ଓ ଅପମାନଜନକ ବୟାନରୁ ବିରତ ରହିବାକୁ ଏଲଜିଙ୍କ ପକ୍ଷରୁ କୁହାଯାଇଥିଲା । ମାତ୍ର ଏହା ପରେ ବି ଆପ ନେତାମାନେ ବିନୟଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ । ବିନୟ ୮୦ କୋଟି ଟଙ୍କାର ଅର୍ଥ ହେରଫେର କରିଥିବା ଆପ ସାଂସଦ ସଞ୍ଜୟ ସିଂହ ଅଭିଯୋଗ କରିବା ସହ ଏଲଜିଙ୍କୁ ବରଖାସ୍ତ କରିବାକୁ ଦାବି କରିଥିଲେ ।

ଏଲଜି ବିନୟ ଦିଲ୍ଲୀରେ ମଦ ନୀତିର ସିବିଆଇ ଯାଞ୍ଚ ପାଇଁ ଆଦେଶ ଦେଇଥିଲେ । ଏହାପରେ ଦିଲ୍ଲୀରେ ଏଲଜି-ଆପ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଥିଲା । ଆପର କିଛି ନେତା ବିନୟଙ୍କ ଉପରେ ଘୋଟାଲା ଆରୋପ ଲଗାଇଥିଲେ । ତେବେ ଏଲଜିଙ୍କ ପକ୍ଷରୁ ଆଗତ ମାମଲାର ବିଚାର କରି ସୋସିଆଲ ମିଡ଼ିଆରେ କରାଯାଇଥିବା ବିବାଦୀୟ ପୋଷ୍ଟକୁ ହଟାଇବାକୁ ଆପ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

Get real time updates directly on you device, subscribe now.