fbpx

ଇମ୍ରାନ୍ ଙ୍କ ବିରୋଧରେ ଗିରଫ ପରୱାନା ଜାରି…

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଗିରଫ ପରୱାନା ଜାରିକରାଯାଇଛି । ମାର୍ଗାଲା ପୋଲିସ ଷ୍ଟେସନର ଏରିଆ ମାଜିଷ୍ଟ୍ରେଟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରିଛନ୍ତି । ଇସଲାମାବାଦର ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ମାମଲା ସଂପର୍କରେ ଏହି ୱାରେଣ୍ଟ ଜାରି କରାଯାଇଛି । ଶୁକ୍ରବାର ଇମ୍ରାନ ଖାନ ଇସଲାମାବାଦର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଥିଲେ ଏବଂ ଅତିରିକ୍ତ ସେସନ୍ସ ଜଜ୍ ଜେବା ଚୌଧୁରୀଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ମାଗିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକ ଜନ ସମାବେଶରେ ମହିଳା ବିଚାରପତି ଜେବା ଚୌଧରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏତତ୍ ବ୍ୟତୀତ ୨୦ ଅଗଷ୍ଟରେ ଇସଲାମାବାଦରେ ଏକ ରାଲିରେ ଇମ୍ରାନ ଖାନ ଏବଂ ତାଙ୍କ ସହକର୍ମୀ ଶାହାବାଜ ଗିଲଙ୍କ ସହ କରାଯାଇଥିବା ବ୍ୟବହାରକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ, ନିର୍ବାଚନ ଆୟୋଗ ଏବଂ ରାଜନୈତିକ ବିରୋଧୀଙ୍କ ବିରୋଧରେ ମାମଲା ରୁଜୁ କରିବେ ବୋଲି ଧମକ ଦେଇଥିଲେ । ଏହା ପରେ ଦେଶଦ୍ରୋହ ଅଭିଯୋଗରେ ଶାହାବାଜ ଗିଲଙ୍କୁ ଇସଲାମାବାଦ ପୋଲିସଙ୍କ ଦ୍ୱାରା ଗିରଫ କରାଯାଇଥିଲା । ଏହାପରେ ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ ପରୱାନା ଜାରି କରାଯାଇଛି ।

Get real time updates directly on you device, subscribe now.