fbpx

୮୪ ବଲ ବାକି ଥାଇ ୯ ୱିକେଟରେ ଜିତିଲା ଭାରତ: ସେମିରେ କଲା ଧମାକାଦାର ଏଣ୍ଟ୍ରି

ନୂଆଦିଲ୍ଲୀ: ମହିଳା ଏସିଆ କପ-୨୦୨୨ରେ ଜବରଦସ୍ତ ଶୋ’ ଜାରି ରଖିଛି ଟିମ ଇଣ୍ଡିଆ । ଥାଇଲାଣ୍ଡ ବିପକ୍ଷ ଟି-୨୦ ମ୍ୟାଚରେ ନିଜ ଦମ ଦେଖାଇଛି ଓମେନ ଇନ ବ୍ଲୁ । ୮୪ ବଲ ବାକି ଥାଇ ଏହି ମ୍ୟାଚକୁ ୯ ୱିକେଟରେ ଜିତି ନେଇଛି ଭାରତୀୟ ମହିଳା କ୍ରିକେଟ ଟିମ । ଏହି ମ୍ୟାଚ ଟିମ ଇଣ୍ଡିଆ ପାଇଁ ଥିଲା ଖୁବ ସ୍ପେଶାଲ ଦମଦାର ବିଜୟ ସହ ପୂର୍ବତନ ଅଧିନାୟକ ସ୍ମୃତି ମନ୍ଧାନାଙ୍କର ଏହା ଥିଲା ୧୦୦ତମ ଟି-୨୦ ମ୍ୟାଚ । ତେବେ ଏହି ମ୍ୟାଚକୁ ଏକ ବଡ ବିଜୟ କରି ସ୍ମରଣୀୟ କରିବା ସହ ମନ୍ଧାନାଙ୍କୁ ଏକ ବଡ ଉପହାର କରିଛି ଟିମ ଇଣ୍ଡିଆ ।

ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ ଥାଇଲାଣ୍ଡର କୌଣସି ବ୍ୟାଟ୍ସମ୍ୟାନ । ମାତ୍ର ୩୭ ରନରେ ଅଲଆଉଟ ହୋଇ ପାଭିଲିୟନ ଫେରିଥିଲା ଥାଇଲାଣ୍ଡ । ୪ ଓଭରରେ ମାତ୍ର ୯ ରନ ବ୍ୟୟ କରି ୩ଟି ୱିକେଟ ହାସଲ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ସ୍ନେହ ରାଣା । ସେହିପରି ଦିପ୍ତି ଶର୍ମା ଏବଂ ରାଜେଶ୍ୱରୀ ଗାଏକ୍ୱାଡ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମେଘନା ସିଂହ ମଧ୍ୟ ଗୋଟିଏ ସଫଳତା ପାଇଛନ୍ତି । ତେବେ ଦମଦାର ବୋଲିଂ ବଳରେ ମାତ୍ର ୩୮ ରନର ଟାର୍ଗେଟ ପାଇଥିଲା ଭାରତ ।

ତେବେ ଏହାର ପିଛା କରି ଷଷ୍ଠ ଓଭରରେ ହିଁ ଏହି ମ୍ୟାଚକୁ ଜିତି ନେଇଛି ଟିମ ଇଣ୍ଡିଆ । ଭାରତ ପକ୍ଷରୁ ଏସ ମେଘାନା ୨୦ ଏବଂ ପୂଜା ବସ୍ତ୍ରକାର ୧୨ ରନ କରିଥିବା ବେଳେ ଶେଫାଳୀ ବର୍ମା ୮ ରନ କରିଥିଲେ । କିନ୍ତୁ ସ୍ନେହ ରାଣାଙ୍କ ଜବରଦସ୍ତ ବୋଲିଂ ପ୍ରଦର୍ଶନ ଯୋଗୁଁ ତାଙ୍କୁ ପ୍ଲେୟର ଅଫ ଦ ସିରିଜ ଭାବେ ପୁରସ୍କୃତ କରାଯାଇଛି । ଏହି ବିଜୟ ସହ ସେମି ଫାଇନାଲରେ ଏଣ୍ଟ୍ରି କରିଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.