ଜାଲିଆନାୱାଲା ବାଗ୍ ନରସଂହାର, କାହିଁକି ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ଜେନେରାଲ୍ ଡାୟର

ନୂଆଦିଲ୍ଲୀ, ୧୩ା୪: ଆଜିର ଦିନରେ ଅର୍ଥାତ ଏପ୍ରିଲ୍ ୧୩ ତାରିଖ ୧୯୧୯ରେ ବ୍ରିଟିସ୍ ପଞ୍ଜାବର ଅମୃତସରସ୍ଥିତ ଜାଲିଆନାୱାଲା ବାଗ୍ରେ ଘଟିଥିଲା ଲୋମଟାଙ୍କୁରା ଘଟଣା । ବ୍ରିଗେଡିଅର ଜେନେରାଲ୍ ରେଜିନାଲ୍ଡ ଡାୟରଙ୍କ ଇଂରେଜ ସୈନିକମାନେ ଜାଲିଆନାୱାଲା ବାଗଠାରେ ଏକତ୍ରିତ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ବୃଦ୍ଧ, ମହିଳା, ପୁରୁଷ ସମେତ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ ବ୍ରିଟ୍ରିଶ ଇତିହାସର ଅତ୍ୟାଚାର ବିଷୟରେ ବର୍ଣ୍ଣନା କରୁଛି । ଜାଲିଆନାୱାଲା ବାଗ୍ ଅମୃତସରର ସ୍ୱର୍ଣର୍ ମନ୍ଦିର ନିକଟରେ ଥିବା ଏକ ଛୋଟ ସବୁଜ ପଡ଼ିଆ । ଏହି ଅଞ୍ଚଳ ଏବେ ବି ବ୍ରିଟିସ ଶାସନ ଇତିହାସର ଜେନେରାଲ୍ ଡାୟରଙ୍କ ଲୋମଟାଙ୍କୁରା ଅତ୍ୟାଚାରର କାହାଣୀ ବର୍ଣ୍ଣନା କରୁଛି । ୧୩ ଏପ୍ରିଲ୍ ୧୯୧୯ରେ ଘଟିଥିବା ଏହି ହତ୍ୟାକାଣ୍ଡ ଆଜି ବି ବିଶ୍ୱର ସବୁଠାରୁ ବଡ଼ ନରସଂହାର ଭାବେ ଗଣା ଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାଲିଆନାୱାଲା ବାଗ୍ ନରସଂହାର ଘଟଣାର ସହିଦଙ୍କୁ ସଲାମ୍ କରିବା ସହ ସେମାନଙ୍କ ସାହାସିକତା ଓ ବୀରତାକୁ କେବେ ବି ଭୁଲି ହେବ ନାହିଁ ବୋଲି ଦର୍ଶାଇଛନ୍ତି । ସେମାନଙ୍କ ଅବଦାନ ଭାରତୀୟଙ୍କ ମଧ୍ୟରେ ସବୁଦିନ ପାଇଁ ମନେ ରହିବ ବୋଲି ମୋଦି ଦର୍ଶାଇଛନ୍ତି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଯେତେବେଳେ ଜେନେରାଲ୍ ଡାୟରଙ୍କୁ ତଦନ୍ତକାରୀ ଅଧିକାରୀମାନେ ପଚାରିଥିଲେ ଯେ, ସେ କାହିଁକି ଆଖିବୁଜା ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଜେନେରାଲ ଡାୟର ଭିନ୍ନ ଉତ୍ତର ରଖିଥିଲେ । ଗୋଲ୍ଡେନ୍ ଟେମ୍ପୁଲ୍ ଦର୍ଶନ ପରେ ଜାଲିଆନାୱାଲା ବାଗଠାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଥିବା ତାଙ୍କ ନିକଟରେ ଖବର ପହଞ୍ଚିଥିଲା । ଏହାପରେ ସେ ୪ ଘଣ୍ଟା ଚିନ୍ତା କରିଥିଲେ ଯେ, ଏକତ୍ରିତ ଲୋକଙ୍କୁ କିପରି ଦମନ କରାଯିବ । ପରେ କୌଣସି ଉପାୟ ନପାଇ ଜାଲିଆନାୱାଲା ବାଗ୍ରେ ଲୋକଙ୍କ ପ୍ରବେଶ ପଥକୁ ବନ୍ଦ କରି ଆଖିବୁଜା ଗୁଳିମାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ହୋଇଥିବା ଏହି ହତ୍ୟାକାଣ୍ଡରେ ୧୬୫୦ ରାଉଣ୍ଡ ଗୁଳି ଚଳା ଯାଇଥିଲା । ଅନେକ ଲୋକ ଭୟରେ ସେଠାରେ ଥିବା ଏକ କୂଅକୁ ଡେଇଁ ପଡ଼ିଥିଲେ । ଡିସଅର୍ଡର ଇନକ୍ୱାରୀ କମିଟି (୧୯୧୯-୧୯୨୦) ନିକଟରେ ଉତ୍ତର ରଖି ଜେନେରାଲ ଡାୟର କହିଛନ୍ତି ଯେ, ସେଠାରେ ଏକତ୍ରିତ ଲୋକଙ୍କୁ ଦମନ ପାଇଁ ଏହା ଜରୁରୀ ଥିଲା ଏବଂ ଗୁଳି ଚଳା ଯାଇନଥିଲେ ଜାଲିଆନାୱାଲା ବାଗରୁ ଫେରିଥିବା ଲୋକମାନେ ତାଙ୍କ ଉପରେ ହସିଥାନ୍ତେ । ଏପରିକି ଜେନେରାଲ୍ ଡାୟର ଜଣେ ମୁର୍ଖ ବୋଲି କହିଥାନ୍ତେ । ଏପରି ସମାଲୋଚନାକୁ ପ୍ରତିହତ କରିବା ପାଇଁ ଗୁଳି ଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲି ବୋଲି ଜେନେରାଲ ଡାୟର ସ୍ପଷ୍ଟୀକରଣ ରଖିଥିଲେ ।