ନୂଆଦିଲ୍ଲୀ: ଯଦି ପତ୍ନୀ ବୈବାହିକ ଜୀବନକୁ ଜାରି ରଖିବାକୁ ଚାହାନ୍ତି ତେବେ ସ୍ଵାମୀଙ୍କ ଆବେଦନ ଉପରେ ବିବାହ ରଦ୍ଦ କରିବା ପାଇଁ ଅନୁଚ୍ଛେଦ ୧୪୨ ଆଧାରରେ ନିଜ ଶକ୍ତିର ପ୍ରୟୋଗ କରିବେ ନାହିଁ। ଏକ ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୀଠ କହିଛନ୍ତି, ଭାରତରେ ବିବାହ କୌଣସି ଆକସ୍ମିକ ଘଟଣା ନୁହେଁ। ଆମେ ଆଜି ବିବାହ କରିବା ଏବଂ କାଲି ଛାଡପତ୍ର ଦେବା ପରି ପାଶ୍ଚାତ୍ୟ ସଭ୍ୟତାକୁ ଆପଣେଇ ପାରିବା ନାହିଁ। ଆପଣ ପତି ଏବଂ ପତ୍ନୀ ଶିକ୍ଷିତ। ଆପଣମାନେ କଣ ପାଶ୍ଚାତ୍ୟ ସଭ୍ୟତାକୁ ଆପଣେଇବାକୁ ଚାହିଁବେ । ଯଦି ଗୋଟିଏ ପକ୍ଷ ବୈବାହିକ ଜୀବନକୁ ଜାରି ରଖିବାକୁ ଚାହାନ୍ତି ତେବେ ଉଚ୍ଚତମ ନ୍ୟାୟାଳୟ ଛାଡପତ୍ର ପାଇଁ ୧୪୨ର ପ୍ରୟୋଗ କରି ପାରିବେ ନାହିଁ।
ସ୍ଵାମୀଙ୍କ ଆବେଦନ ଉପରେ ଶୁଣାଣି କରି ନ୍ୟାୟାଳୟ ବିବାହକୁ ରଦ୍ଦ କରିବାକୁ ମନା କରି ଦେଇଛନ୍ତି। ବିଚାରପତି ସଞ୍ଜୟ କେ କୌଲ ଏବଂ ଅଭୟ ଏସ ଓକାଙ୍କ ପୀଠ କହିଛନ୍ତି, ବିବାହକୁ ମାତ୍ର ୪୦ ଦିନ ହୋଇଛି। ନବଦମ୍ପତ୍ତିଙ୍କୁ ନିଜର ମତଭେଦ ଦୂର କରିବା ପାଇଁ ଆନ୍ତରିକ ଉଦ୍ୟମ କରିବା ଉଚିତ୍। ସ୍ଵାମୀ ଆମେରିକାର ଏକ ଏନଜିଓ ଚଲାଉଛନ୍ତି ଏବଂ ପତ୍ନୀ କାନାଡାର ସ୍ଥାୟୀ ବାସିନ୍ଦା।
ସ୍ଵାମୀ ବାରମ୍ବାର ପୀଠରେ ବିବାହକୁ ରଦ୍ଦ କରିବାକୁ ଗୁହାରି କରିଛନ୍ତି। ପତ୍ନୀ କହିଛନ୍ତି, ଫେସବୁକରେ ଉଭୟଙ୍କ ବନ୍ଧୁତା ହୋଇଥିଲା ଏବଂ ଦୁଇ ପରିବାରଙ୍କ ସହ ଆଲୋଚନା ପରେ ବିବାହ ପାଇଁ ସେ କାନାଡରୁ ସବୁ କିଛି ଚାଡି ଚାଲି ଆସିଲେ। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଅନୁଚ୍ଛେଦ ୧୪୨ ଆଧାରରେ ଶକ୍ତିର ପ୍ରୟୋଗ କେବଳ ସେହି ସମୟରେ କରାଯାଇ ପାରିବ ଯେତେବେଳେ ଉଭୟ ପକ୍ଷ ବିବାହ ସଂପର୍କକୁ ଆଗକୁ ବଢାଇବାକୁ ଚାହୁଁନଥିବେ। ଦୁଇ ପକ୍ଷଙ୍କ ସହମତ ଭିତ୍ତିରେ ହିଁ କୋର୍ଟ ପଦକ୍ଷେପ ନେଇଥାନ୍ତି ବୋଲି ନ୍ୟାୟାଳୟ କହିଛନ୍ତି।
ସ୍ଵାମୀ କହିଛନ୍ତି, ଗତ ୧୮ ମାସରୁ ପତ୍ନୀଙ୍କ ସହିତ ତାଙ୍କ ସଂପର୍କ ଭଲ କଟିନାହିଁ। କୌଣସି ବି ପକ୍ଷରୁ ବିବାହକୁ ବଞ୍ଚାଇବା ଲାଗି କିଛି ବି ସକରାତ୍ମକ ପଦକ୍ଷେପ ନିଆଗଲା ନାହିଁ। ପୀଠ ସ୍ଵାମୀଙ୍କୁ ସ୍ମରଣ କରାଇଛନ୍ତି ଯେ, ମହିଳା କାନାଡାରେ ନିଜ ଚାକିରି ଏବଂ ସବୁ କିଛି ଛାଡି ଆପଣଙ୍କୁ ବିବାହ କରିବାକୁ ଭାରତ ଚାଲି ଆସିଥିଲା। ବିବାହର ୪୦ ଦିନରେ ପରସ୍ପରକୁ ବୁଝିବାକୁ ପର୍ୟ୍ୟାପ୍ତ ହୋଇନଥାଏ। ଏକ ସଫଳ ବୈବାହିକ ଜୀବନ ପାଇଁ ପରସ୍ପରକୁ ସମୟ ଦେବା ଏବଂ ବୁଝିବା ଦରକାର ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।
ପୀଠ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଏସଜେ ଓ୍ଵଜିଫଦାରଙ୍କୁ ମଧ୍ୟସ୍ଥ ଭାବେ ନିଯୁକ୍ତ କରିଛନ୍ତି ଏବଂ ତାଙ୍କୁ ମ୍ୟାରେଜ କାଉନସିଲରଙ୍କ ସହାୟତା ନେବାର ସମସ୍ତ ସ୍ଵାଧୀନତା ଦେଇଛନ୍ତି। ତିନି ମାସରେ ମଧ୍ୟସ୍ଥ ରିପୋର୍ଟ ଦେବେ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।