fbpx

ଓଡ଼ିଶାରେ MBBS ଓ BDS ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରୋଭିଜନାଲ ମେରିଟ୍‌ ଲିଷ୍ଟ

ଭୁବନେଶ୍ବର : ଓଡ଼ିଶାରେ ଥିବା ମେଡିକକାଲ କଲେଜଗୁଡ଼ିକର MBBS ଓ BDS ନାମଲେଖା ପାଇଁ ପ୍ରୋଭିଜନାଲ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି । ନାମଲେଖା ଲାଗି ୩ ହଜାର ୬୭୨ଜଣ ଆବେଦନ କରିଥିବା ବେଳେ ୩ ହଜାର ୬୫୭ଜଣଙ୍କ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି। ନିଟ୍‌ ପରୀକ୍ଷାରେ ଓଡ଼ିଶା ଟପର୍‌ ହୋଇଥିବା ପ୍ରିୟ ସୌମ୍ୟଦତ୍ତ ନାୟକ ଓଡ଼ିଶାରେ ପଢ଼ିବା ଲାଗି ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।

ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୪୫ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ରହିଛନ୍ତି। ଅନୁସୂଚିତ ଜାତି ବର୍ଗର ୩୧୧, ଅନୁସୂଚିତ ଜନଜାତି ବର୍ଗର ୩୦୩, ଏନ୍‌ଆରଆଇ ବର୍ଗର ୫୩ ଓ ରାଜ୍ୟ ସରକାରଙ୍କ ସରକାରୀ ସ୍କୁଲ ବର୍ଗରେ ୩୧୧ଜଣ ରହିଛନ୍ତି। କୌଣସି ଛାତ୍ରଛାତ୍ରୀଙ୍କୁ ଅଲଗା ଇନ୍‌ଣ୍ଟିମେସନ ପଠାଯିବ ନାହିଁ। ମେଧା ତାଲିକାରେ ସମସ୍ୟା ଥିବା ଛାତ୍ରଛାତ୍ରୀ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଆବେଦନ କରିବାକୁ କୁହାଯାଇଥିଲା। ସେଭଳି କୌଣସି ତ୍ରୁଟି ଅଭିଯୋଗ ସାମ୍ନାକୁ ଆସିନାହିଁ।

ଆସନ୍ତା ୧୮ ତାରିଖରେ ଚୂଡ଼ାନ୍ତ ରାଜ୍ୟ ମେଧା ତାଲିକା ପ୍ରକାଶ ପାଇବ। ଉକ୍ତ ଦୁଇ ପାଠ୍ୟକ୍ରମ ଲାଗି ସମ୍ପୂର୍ଣ୍ଣ କାଉନସେଲିଂ ପ୍ରକ୍ରିୟା ସମ୍ପର୍କରେ ନିର୍ଧାରିତ ସମୟରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଏନ୍‌ଇଇଟି(ୟୁଜି)ରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଭାଗ ନେଇ ପାରିବେ। ଓଡ଼ିଶାର ଛାତ୍ରଛାତ୍ରୀ ଉଭୟ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମର ରାଜ୍ୟ କୋଟାରେ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ତେବେ ରାଜ୍ୟ ବାହାର ଛାତ୍ରଛାତ୍ରୀ କେବଳ ଏନ୍‌ଆରଆଇ କୋଟା ଲାଗି ଆବେଦନ କରିବେ। ପଞ୍ଜୀକରଣ ପୂର୍ବରୁ ପ୍ରାର୍ଥୀମାନେ କେଉଁ କୋଟାରେ ନାମଲେଖା ଲାଗି ଯୋଗ୍ୟ ତାହା ଜାଣିବା ଆବଶ୍ୟକ। ମେଡିକାଲ କାଉନସେଲିଂ କମିଟି(ଏମ୍‌ସିସି) ଦ୍ବାରା ହେବାକୁ ଥିବା କେନ୍ଦ୍ରୀୟ କାଉନସେଲିଂ ପ୍ରକ୍ରିୟା ପରେ ସମ୍ପୂର୍ଣ୍ଣ କାଉନସେଲିଂ ତଥ୍ୟ ଜଣାପଡ଼ିବ।

Get real time updates directly on you device, subscribe now.