fbpx

କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନରେ ଖୁସି କି ? ସୋନିଆ କହିଲେ- ଦୀର୍ଘ ସମୟରୁ ଏହା ଅପେକ୍ଷାରେ ଥିଲି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସୋମବାର ମତଦାନ ଜାରି ରହିଛି। ପାର୍ଟିର ମୁଖ୍ୟ ପୋଷ୍ଟ ପାଇଁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ହେଉଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ଭୋଟ୍ ଦେବା ପାଇଁ ନୂଆଦିଲ୍ଲୀ ସ୍ଥିତ ପାର୍ଟି ଅଫିସ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କୁ ସାମ୍ବାଦିକ ପ୍ରତିନିଧି ପ୍ରଶ୍ନ କରିଥିଲେ ଯେ, କଣ ଆପଣ ନିର୍ବାଚନରେ ଖୁସି ଅଛନ୍ତି ? ଜବାବରେ ସେ କହିଛନ୍ତି, ଲମ୍ବା ସମୟ ଧରି ଏହାର ଅପେକ୍ଷାରେ ଥିଲି।

ସୋନିଆ ଗାନ୍ଧୀ ପାର୍ଟି ମୁଖ୍ୟାଳୟରେ ମତଦାନ କରିଛନ୍ତି। ତାଙ୍କ ସହିତ ପାର୍ଟି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି ମତଦାନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ଭୋଟିଂ କରିଛନ୍ତି। ପାର୍ଟି ମୁଖ୍ୟାଳୟରେ ପି ଚିଦାମ୍ବରମ ସର୍ବ ପ୍ରଥମେ ମତଦାନ କରିଛନ୍ତି। ତାଙ୍କ ପରେ ସାଧାରଣ ସଂପାଦକ ଜୟରାମ ରମେଶ, ଅଜୟ ମାକନ, ମୁକୁଲ ଓ୍ଵାସନିକ, ବରିଷ୍ଠ ନେତା ଅମ୍ବିକା ସୋନି, ବିବେକ ଖନ୍ନା ଏବଂ ଅନେକ ଭୋଟିଂ କରିଛନ୍ତି।

ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ଅଣ ଗାନ୍ଧୀ ପରିବାରରୁ ଅଧ୍ୟକ୍ଷ ମିଳିବାକୁ ଯାଉଛି। କଂଗ୍ରେସର ପ୍ରାୟ ୯ ହଜାରରୁ ଅଧିକ ପ୍ରତିନିଧି ମତଦାନ କରିଛନ୍ତି। ମଇଦାନରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ଅଛନ୍ତି। ଉଭୟଙ୍କ ମଧ୍ୟରୁ ଖଡଗେଙ୍କ ପଲ୍ଲା ବହୁତ ଭାରି ରହିଛି।

କଂଗ୍ରେସ ପାର୍ଟିର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ଅଧ୍ୟକ୍ଷ ପଦ ପାଇଁ ମତଦାନ ହେଉଛି। ପାର୍ଟିର ସାଧାରଣ ସଂପାଦକ ଜୟରାମ ରମେଶଙ୍କ ମୁତାବକ, ଅଧ୍ୟକ୍ଷ ପଦ ଲାଗି ଅଦ୍ୟାବଧି ୧୯୩୯, ୧୯୫୦, ୧୯୭୭, ୧୯୯୭ ଏବଂ ୨୦୦୦ରେ ନିର୍ବାଚନ ହୋଇଥିଲା। ପୂରା ୨୨ ବର୍ଷ ପରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି।

Get real time updates directly on you device, subscribe now.