fbpx

ଲକ୍ଷ୍ମୀଙ୍କ ଭାଇ କିଏ? ତାଙ୍କ ବିନା ସମ୍ପୂର୍ଣ୍ଣ ହୁଏନି ପୂଜା… ଜାଣନ୍ତୁ ଅପୂର୍ବ କାହାଣୀ

କାର୍ତ୍ତିକ ମାସର ଅମାବାସ୍ୟା ତିଥିକୁ ଦୀପାବଳି ପାଳନ କରାଯାଇଥାଏ । ଏହି ଦିନ ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଦୀପାବଳିରେ ମାତା ଲକ୍ଷ୍ମୀ ଘରେ ବାସ କରନ୍ତି ଏବଂ ଅନ୍ନ-ଧନର ଭଣ୍ଡାର ଖୋଲି ଦିଅନ୍ତି ବୋଲି ବିଶ୍ୱାସ ରହିଛି । ମହାଲକ୍ଷ୍ମୀ ପୁରାଣ ସହିତ ଅନେକ ପୁରାଣ ପୋଥିରେ ଅନ୍ନଦାତ୍ରୀଙ୍କ ବିଭିନ୍ନ କାହାଣୀ ବର୍ଣ୍ଣିତ ହୋଇ ରହିଛି । କିନ୍ତୁ ମା’ ଲକ୍ଷ୍ମୀଙ୍କ ଭ୍ରାତାଙ୍କ ବିଷୟରେ କୌଣସି ସ୍ଥାନରେ ଉଲ୍ଲେଖ ହୋଇନାହିଁ । ତେବେ ତାଙ୍କ ବିନା କୌଣସି ପୂଜା ସମ୍ପୂର୍ଣ୍ଣ ହୋଇ ପାରିନଥାଏ । ମନ୍ଦିର ହେଉ କିମ୍ବା କୌଣସି ଅନୁଷ୍ଠାନ, ପ୍ରଥମେ ତାଙ୍କୁ ପୂଜା କରାଯାଏ ।

ସନାତନ ଧର୍ମରେ ଶଙ୍ଖକୁ ମହାଲକ୍ଷ୍ମୀଙ୍କ ଭାଇ ବୋଲି କୁହାଯାଇଛି । ସେଥିପାଇଁ ସର୍ବଦା ମା’ ଲକ୍ଷ୍ମୀଙ୍କ ହସ୍ତରେ ଶଙ୍ଖ ରହିଥାଏ । ମହାଲକ୍ଷ୍ମୀଙ୍କ ପୂଜା ବିନା ଧନପ୍ରାପ୍ତି ହେବା ଯେପରି ଅସମ୍ଭବ, ସେହିପରି ଶଙ୍ଖଧ୍ୱନି ବିନା ମନରେ ଆଧ୍ୟାତ୍ମିକ ଭାବନା ଆଣିବା ମଧ୍ୟ ଅସମ୍ଭବ । ଶଙ୍ଖକୁ ବିଜୟ, ସମୃଦ୍ଧି, ସୁଖ, ଶାନ୍ତି, ଯଶ ଏବଂ କୀର୍ତ୍ତିମାନର ପ୍ରତୀକ ବୋଲି ପୁରାଣରେ କୁହାଯାଇଛି । ମାତା ଲକ୍ଷ୍ମୀଙ୍କ ପରି ଶଙ୍ଖ ମଧ୍ୟ ସାଗର ଗର୍ଭରୁ ଜନ୍ମ ନେଇଥିଲେ । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଉତ୍ପତ୍ତି ହୋଇଥିଲା ଶଙ୍ଖ । ସମୁଦ୍ର ମନ୍ଥନରେ ସାଗରରୁ ଜାତ ହୋଇଥିବା ୧୪ଟି ରତ୍ନ ମଧ୍ୟରୁ ଶଙ୍ଖ ମଧ୍ୟ ଏକ ରତ୍ନ । ତେଣୁ ଏହି ଶଙ୍ଖକୁ ମହାଲକ୍ଷ୍ମୀଙ୍କ କନିଷ୍ଠ ଭାଇ ବୋଲି ବିଶ୍ୱାସ ରହିଛି ।

ପ୍ରାୟ ସମସ୍ତଙ୍କ ଘରେ ଏବଂ ମନ୍ଦିରରେ ଶଙ୍ଖ ରହିଥିବା ଦେଖାଯାଏ । ତେବେ ଏହି ଶଙ୍ଖ ରଖିବା ଦ୍ୱାରା ଅନେକ ଲାଭ ହୋଇଥାଏ । ଏହି ଶଙ୍ଖଧ୍ୱନି କାନରେ ପଡିଲେ ମଣିଷ ଆରୋଗ୍ୟ ରହିବା ସହିତ ପ୍ରତିଦିନ ଶଙ୍ଖ ବଜାଇଲେ ଶ୍ୱାସକ୍ରିୟା ଜନିତ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏହାବ୍ୟତୀତ ଶଙ୍ଖଧ୍ୱନି ଘରେ ସୁଖ ଶାନ୍ତି ଭରି ଦେଇଥାଏ । ଧନତେରାସ ଏବଂ ଦୀପାବଳି ଦିନ ଲକ୍ଷ୍ମୀଙ୍କ ସାନ ଭାଇ ଶଙ୍ଖକୁ ଘରକୁ ଆଣିପାରିବେ । ତେବେ ଦକ୍ଷିଣାବର୍ତ୍ତୀ ଶଙ୍ଖ ସର୍ବୋତ୍ତମ ବୋଲି ମାନ୍ୟତା ରହିଛି । କିନ୍ତୁ ଆପଣ ଅନ୍ୟ ଶଙ୍ଖ ମଧ୍ୟ ଘରକୁ ଆଣିପାରିବେ ।

Get real time updates directly on you device, subscribe now.