fbpx

ଆମେରିକା ଲ୍ୟାବରେ ପ୍ରସ୍ତୁତ ହେଲା କରୋନାର ଘାତକ ରୂପ: ଚୀନର ଭୁଲକୁ ଭୁଲିଗଲା କି ବିଶ୍ୱ, ପ୍ରଶ୍ନ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ପୁଣି ଥରେ ସାରା ବିଶ୍ୱରେ ଆତଙ୍କ ଖେଳାଇବା ଆରମ୍ଭ କରିଦେଲାଣି । ଗୋଟିଏ ପଟେ ଓମିକ୍ରନର ଭାରିଆଣ୍ଟ କାୟା ବିସ୍ତାର କରି ଚାଲିଥିବା ବେଳେ ଅନ୍ୟପକ୍ଷରେ ଆମେରିକାରେ କୋଭିଡ-୧୯ର ଏକ ଭୟଙ୍କର ରୂପ ବିକଶିତ କରାଯାଇଛି । ପୂର୍ବରୁ ଆସିଥିବା ଭାରିଆଣ୍ଟ ଠାରୁ ଏହା ଖତରନାକ ବୋଲି ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚରମାନେ କହିଛନ୍ତି ।

ଗବେଷକଙ୍କ ମୁତାବକ, ଆମେରିକା ଦ୍ୱାରା କୋଭିଡ-୧୯ର ଯେଉଁ ଷ୍ଟ୍ରେନ ବିକଶିତ କରାଯାଇଛି, ତାହା ଗମ୍ଭୀର ବିମାରୀ ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହାର ମୃତ୍ୟୁ ହାର ୮୦ ପ୍ରତିଶତ ରହିଥିବା କୁହାଯାଇଛି । ତେବେ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ସାରା ବିଶ୍ୱର ଅନେକ ବୈଜ୍ଞାନିକ ଏହାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି । ନିଆଁ ସାଥିରେ ଖେଳିବା ବିପଜ୍ଜନକ ହୋଇପାରେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ରିସର୍ଚ୍ଚ ପାଇଁ ସର୍ବପ୍ରଥମେ ଓମିକ୍ରନ ଭାରିଆଣ୍ଟର ସ୍ପାଇକ ପ୍ରୋଟିନକୁ କଢ଼ାଯାଇଥିଲା । ଏହାପରେ ଚୀନର ଉହାନରେ ପ୍ରଥମ ଥର ପାଇଁ ମିଳିଥିବା କୋଭିଡ-୧୯ର ଷ୍ଟ୍ରେନ ସହିତ ମିଶାଇ ଦିଆଯାଇଥିଲା । ଏହି ରିସର୍ଚ୍ଚ ମୂଷାଙ୍କ ଉପରେ କରାଯାଇଥିଲା । ଓମିକ୍ରନ କାରଣରୁ ମୂଷାଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା । ତାହା ଏତେ ଘାତକ ନଥିଲା । ମାତ୍ର ଲ୍ୟାବରେ ପ୍ରସ୍ତୁତ ହୋଇଥିବା ଓମିକ୍ରନର ‘ଏସ’ ଭାଇରସର ମୃତ୍ୟୁ ହାର ୮୦ ପ୍ରତିଶତ ରହିଥିବା ବେଳେ ତାହା ଗମ୍ଭୀର ବୀମାର ସୃଷ୍ଟି କରିପାରେ ନେଇ କୁହାଯାଇଛି ।

ମାନବ ନିର୍ମିତ କୋଭିଡ ଷ୍ଟ୍ରେନ ଦ୍ୱାରା ରିସର୍ଚ୍ଚରେ ସାମିଲ ଥିବା ୮୦ ପ୍ରତିଶତ ମୂଷା ମୃତ୍ୟୁବରଣ କରିଥିଲେ । ମାଇଲ୍ଡ ଓମିକ୍ରନ ଭାରିଆଣ୍ଟ କାରଣରୁ କିଛି ମୂଷା ଗମ୍ଭୀର ସମସ୍ୟାରୁ ବର୍ତ୍ତି ଯାଇଥିଲେ । ଏହି ନୂଆ ଷ୍ଟ୍ରେନ ଓମିକ୍ରନ ତୁଳନାରେ ପାଞ୍ଚ ଗୁଣା ଅଧିକ ସଂକ୍ରାମକ ଭାଇରସ୍ କଣିକା ଅଟେ । ଚୀନର ଲାବୋରେଟୋରୀରେ ହୋଇଥିବା ଭୁଲର ଭୟଙ୍କର ପରିଣାମ ଆଜି ସାରା ବିଶ୍ୱ ଭୋଗୁଛି । ପୁଣି ଥରେ ଉକ୍ତ ଭୁଲକୁ ଦୋହରାଇବା ନେଇ ବିଭିନ୍ନ ମହଲରୁ ଚିନ୍ତା ଜାହିର କରାଯାଇଛି ।

Get real time updates directly on you device, subscribe now.