fbpx

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ;୨୨ ବେଳକୁ ନେବ ଅବପାତର ରୂପ !

ଭୁବନେଶ୍ୱର :ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ୨୨ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରେ ଏହି ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଥାଇଲାଣ୍ଡ ପକ୍ଷରୁ ଏହି ବାତ୍ୟାର ନାମ ‘ସିତରାଙ୍ଗ୍’ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇନଥିବାବେଳେ ଏହା କେଉଁ ଦିଗରେ ଗତି କରିବ ଓ ଏହାର ତୀବ୍ରତା କେତେ ରହିବ ତଥା ଏହା କେଉଁ ରାଜ୍ୟରେ ଲ୍ୟାଣ୍ଡଫଲ୍ କରିବ ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦିଆଯାଇ ନାହିଁ । ତେବେ ଆସନ୍ତା ୨୪ ତାରିଖ ସୁଦ୍ଧା ବଙ୍ଗୋପସାଗରେ ଏହି ସାମ୍ଭାବ୍ୟ ବାତ୍ୟା ରୂପ ନେବ ବୋଲି ଆଇଏମ୍ଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୨୩ ତାରିଖ ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଅବପାତର ରୂପ ନେବ ବୋଲି ସେ କହିଛନ୍ତି । ବାତ୍ୟାକୁ ନେଇ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରୁଥିବାରୁ ଲୋକେ ସଂଶୟ ଘେରରେ ରହୁଛନ୍ତି । ତେବେ ଏହାର ପ୍ରଭାବ ଓଡିଶା ଉପରେ ଅଧିକ ପଡିବ ନାହିଁ ବୋଲି ସୂଚନା ମିଳୁଛି ।

Get real time updates directly on you device, subscribe now.