fbpx

ବିଜେଡିରୁ ଦୁଇଜଣ ସସପେଣ୍ଡ: ୩ ଜଣଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ମିଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ କିଛି ନେତା ଦଳ ବଦଳ କରୁଥିବା ଦେଖାଯାଇଛି ।

ଆଗାମୀ ନିର୍ବାଚନ ପାଇଁ ବିଜେଡି ୨୧ଟି ଆସନ ପାଇଁ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ ୩ଟି ଆସନ ବାକି ରହିଛି । ଏହା ମଧ୍ୟରେ ବିଜେଡି ଶିବିରରୁ ଆସିଛି ଏକ ବଡ଼ ଖବର । ଦଳରୁ ଦୁଇଜଣ ନେତାଙ୍କୁ ନିଲମ୍ବିତ କରାଯାଇଛି । ଦଳବିରୋଧୀ କାର୍ଯ୍ୟ କାରଣରୁ ଧାମନଗର ନିର୍ବାଚନ ମଣ୍ଡଳୀର ରଘୁନାଥ ଲେଙ୍କା ଓ ହରେକୃଷ୍ଣ ପାଢ଼ୀଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି ।

ସେହିପରି ଦଳରେ ୩ ଜଣ ନେତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୩ ଜଣଙ୍କୁ ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବେ ନିଯୁକ୍ତି ଦେଇଛନ୍ତି । ଛେଣ୍ଡିପଦା ବିଧାନସଭା କ୍ଷେତ୍ର ପାଇଁ ଦୁଷ୍ମନ୍ତ ଗଡ଼ାନାୟକ, ଆଠମଲ୍ଲିକ ବିଧାନସଭା କ୍ଷେତ୍ର ପାଇଁ ଦିନେଶ ପ୍ରଧାନ ଓ ରେଙ୍ଗାଲି ବିଧାନସଭା କ୍ଷେତ୍ର ପାଇଁ କଲାଣ୍ଡି ଚରଣ ପ୍ରଧାନଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି ।

Get real time updates directly on you device, subscribe now.