fbpx

ଭାରତର ଲକଡାଉନ୍ ବୃଦ୍ଧି ନିଷ୍ପତ୍ତିକୁ ଡବ୍ଲ୍ୟୁଏଚଓର ପ୍ରଶଂସା

ନୂଆଦିଲ୍ଲୀ, ୧୪ା୪: କରୋନା ସଂକ୍ରମଣ ରୋକିବା ପାଇଁ ଭାରତରେ ଜାରି ହୋଇଥିବା ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ଅବଧି ଆଜି ଶେଷ ହେଉଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୧୦ଟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧିତ କରି ଲକଡାଉନ୍ ଅବଧି ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛନ୍ତି । ତେବେ ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ମଙ୍ଗଳବାର ଭୂୟସୀ ପ୍ରଶଂସା କରାଯାଇଛି । କରୋନା ଭାଇରସକୁ ପରାଜିତ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ସମୟ ଅନୁସାରେ ନିଆଯାଇଥିବା କଠୋର ପଦକ୍ଷେପ ପ୍ରଶଂସାଯୋଗ୍ୟ ବୋଲି ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି । ଡବ୍ଲ୍ୟୁଏଚଓର ଆଞ୍ଚଳିକ ନିର୍ଦ୍ଦେଶକ ଡା. ପୁନମ୍ କ୍ଷେତ୍ରପାଲ୍ ସିଂ କହିଛନ୍ତି ଯେ, ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଫଳପ୍ରଦ ଓ ସନ୍ତୋଷଜନକ । ତେବେ ଏହି ପଦକ୍ଷେପ ଫଳରେ କେତେ ସଂଖ୍ୟକ ରୋଗୀ କମ୍ ହେବେ ସେ ନେଇ ଏବେଠାରୁ ଠିକ୍ ଭାବେ କହି ହେବନାହିଁ ବୋଲି ସେ କହିଛନ୍ତି । ଲୋକମାନେ ସାମାଜିକ ଦୁରତା (ସୋସିଆଲ୍ ଡିଷ୍ଟାନ୍ସିଂ) ବଜାୟ ରଖିବା ଫଳରେ ବହୁତ ଭଲ ଫଳ ମିଳିଛି ଏବଂ ଏହା ଆଗକୁ ଦେଶପାଇଁ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ସେ ଦର୍ଶାଇଛନ୍ତି । ଅନେକ ଚାଲେଞ୍ଜ ମଧ୍ୟରେ ଏହି ମହାମାରୀକୁ ରୋକିବାକୁ ଭାରତ ପ୍ରତିବଦ୍ଧତାର ସହ ଆଗକୁ ବଢୁଛି ଏବଂ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଲୋକଙ୍କଠାରୁ ଅଧିକ ସତର୍କତା ଆଶା କରାଯାଉଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.