ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ବାଂଲାଦେଶ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ନେଦରଲାଣ୍ଡକୁ ୯ ରନରେ ମାତ ଦେଇଛି ଶାକିବ ସେନା । ଶେଷ ଓଭରରେ ନେଦରଲାଣ୍ଡକୁ ବିଜୟ ପାଇଁ ୩୨ ରନର ଆବଶ୍ୟକତା ଥିବା ବେଳେ ଏହାକୁ ହାସଲ କରିପାରିନି ନେଦେରଲାଣ୍ଡ । ଫଳରେ ମାତ୍ର ୧୩୫ ରନରେ ହିଁ ଦଳ ଅଲଆଉଟ ହୋଇଯାଇଛି । ତେଣୁ ବିଜୟରୁ ମାତ୍ର ୯ ଦୂରରେ ଅଟକି ଯାଇଛି ନେଦରଲାଣ୍ଡ ।
ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୪୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା ବାଂଲାଦେଶ । ଭଲ ଆରମ୍ଭ ପରେ ମଧ୍ୟ ବଡ ସ୍କୋର କରିପାରିନଥିଲା ଦଳ । ବାଂଲାଦେଶ ପକ୍ଷରୁ ୨୭ ବଲରୁ ସର୍ବାଧିକ ୩୮ ରନ କରିଥିଲେ ଆଫିଫ ହୁସେନ । ତେବେ ପ୍ରଥମ ଇନିଂସ ଶେଷ ସୁଦ୍ଧା ୧୪୫ ରନର ଲକ୍ଷ୍ୟ ପାଇଥିଲା ନେଦରଲାଣ୍ଡ । ଯାହାର ପିଛା କରି ଦଳ ପରାଜୟର ସାମନା କରିଛି ।
ବିଜୟ ଲକ୍ଷ୍ୟରେ ପାଳି ଆରମ୍ଭ କରିବା ମାତ୍ରେ ନେଦରଲାଣ୍ଡକୁ ଲାଗିଥିଲା ଝଟକା ପରେ ଝଟକା । ମାତ୍ର ୧୫ ରନରେ ୪ଟି ୱିକେଟ ହରାଇଥିଲା ନେଦରଲାଣ୍ଡ । ତେବେ ଗୋଟିଏ ପଟେ କୋଲିନ ଏକରମେନ ପାଳିକୁ ଆଗେଇ ନେବାକୁ ସଂଘର୍ଷ କରୁଥିଲେ । ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ଅନ୍ୟ ସାଥୀ ଖେଳାଳିମାନଙ୍କ ପାଖରୁ ସେ ସପୋର୍ଟ ପାଇ ନଥିଲେ । ଫଳରେ ବିଜୟ ଲକ୍ଷ୍ୟରୁ ଧିରେ ଧିରେ ଦୂରେଇ ଯାଇଥିଲା ନେଦରଲାଣ୍ଡ ।
ଶେଷ ୨ ଓଭରରେ ୩୨ ରନର ଆବଶ୍ୟକତା ଥିବା ବେଳେ ୧୯ ତମ ଓଭରରେ ମାତ୍ର ୮ ରନ ଦେଇଥିଲେ ମୁସ୍ତାଫିଜୁର ରହମାନ । ସେଥିପାଇଁ ଶେଷ ଓଭରରେ ୨୪ ରନ ଥାଇ ନେଦରଲାଣ୍ଡ ଚାପରେ ପଡିଯାଇଥିଲା । ଶେଷ ଓଭରରେ ସୌମ୍ୟ ସରକାରଙ୍କ ବଲକୁ ବାରମ୍ବାର ମାରିବାକୁ ଚେଷ୍ଟା କରିବି ଫେଲ ମାରିଥିଲେ ନେଦରଲାଣ୍ଡର ବ୍ୟାଟ୍ସମ୍ୟାନ । ଫଳରେ ମାତ୍ର ୧୪ ରନ ହିଁ ସଂଗ୍ରହ ହୋଇପାରିଥିଲା ଏବଂ ଏହା ମଧ୍ୟରେ ଅଲଆଉଟ ହୋଇଯାଇଥିଲା ନେଦରଲାଣ୍ଡ । ଶେଷରେ ମ୍ୟାଚକୁ ୯ ରନରେ ଜିତି ନେଇଛି ବାଂଲାଦେଶ । ତେବେ ଏହି ମ୍ୟାଚରେ ତସ୍କିନ ଅହମଦଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବେ ଘୋଷଣା କରାଯାଇଛି ।