ଖୁସି ଖବର! ଆଉ ଥରେ ଦେଖିପାରିବେ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ପ୍ରତ୍ୟେକ ବଲର ହେବ ଫ୍ଲାସବ୍ୟାକ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନଠୁ ପ୍ରତିଶୋଧ ନେଇସାରିଛି ଭାରତ । ସାରା ଦେଶରେ ଦୀପାବଳି ଆଜି ପଡୁଥିବା ବେଳେ ଗତକାଲିଠୁ ଏହାର ଉତ୍ସବ ପାଳନ ହୋଇସାରିଛି । ବିଶ୍ୱକପର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଶେଷ ବଲରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚକୁ ନେଇ ଆଜି କ୍ରିକେଟପ୍ରେମୀଙ୍କୁ ଆଉ ଏକ ଖୁସି ଖବର ମିଳିଛି । ଏହି ମ୍ୟାଚ ପୁଣିଥରେ ଦେଖିପାରିବେ ଫ୍ୟାନ୍ସ । ତେବେ କେମିତି ଏହାକୁ ଦେଖାଯାଇପାରିବ ଆସନ୍ତୁ ଜାଣିବା ।

ଦୀପାବଳି ପାଇଁ କ୍ରିକେଟପ୍ରେମୀଙ୍କୁ ବଡ ଖୁସି ଖବର ଦେଇଛି ବିଶ୍ୱକପର ପ୍ରସାରକ ଷ୍ଟାର ସ୍ପୋର୍ଟସ । ଭାରତ-ପାକିସ୍ତାନ ମ୍ୟାଚକୁ ପୁଣିଥରେ ଦେଖିବା ପାଇଁ ସୁଯୋଗ ଦେବ ଏହି ଚ୍ୟାନେଲ । ଆଜି ଏହି ମ୍ୟାଚର ଗୋଟି ଗୋଟି ବଲ୍ ଷ୍ଟାର ସ୍ପୋର୍ଟସରେ ପ୍ରସାରିତ ହେବ । ରାତି ୮ଟା ସମୟରେ ଏହି ମ୍ୟାଚକୁ ଦେଖିପାରିବେ କ୍ରିକେଟ ପ୍ରେମୀ । ପ୍ରଥମ ବଲରୁ ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚର ସମ୍ପୂର୍ଣ୍ଣ ହାଇଲାଇଟ ପ୍ରସାରଣ କରିବ ଷ୍ଟାର ସ୍ପୋର୍ଟସ ।

ପାକିସ୍ତାନ ବିପକ୍ଷ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନିଜ ପୁରୁଣା ଲୟକୁ ଫେରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ୫୭ ବଲରୁ ଅପରାଜିତ ୮୨ ରନ କରିଥିବା ବେଳେ ୪୦ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହାବ୍ୟତୀତ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହ ବୋଲିଂରେ ମଧ୍ୟ ନିଜ କମାଲ ଦେଖାଇଥିଲେ । ଉଭୟ ପାକିସ୍ତାନ ଟିମର ୩ ଜଣ ଲେଖାଏଁ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ ।