fbpx

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ ଜାରି, ନଭେମ୍ବର ୩ରେ ହେବ ପଚରାଉଚୁରା

ରାଞ୍ଚି: ବେଆଇନ ଖନନ ଏବଂ ମନ ଲଣ୍ଡ୍ରିଂ ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ ଜାରି। ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ନଭେମ୍ବର ୩ ତାରିଖ ୧୧ଟା ୩୦ରେ ପଚରା ଉଚୁରା ପାଇଁ ଡକାଇଛି। ଏହି ଖବର ରାଜ୍ୟରେ ଚହଳ ପକାଇଛି। ରାଜନୀତି ସରଗରମ ହୋଇ ଉଠିଛି। ମୁଖ୍ୟ ବିରୋଧୀ ଦଳ ବିଜେପି ହେମନ୍ତ ସୋରେନ ସରକାରଙ୍କୁ ଶାଣିତ ସ୍ଵରରେ ଟାର୍ଗେଟ୍ କରିଛି। ଇଡିର ସମନ ଜାରି ନିଶ୍ଚିତ ରୂପେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୁସ୍କିଲ ବଢାଇପାରେ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରଙ୍କ ସାହେବଗଞ୍ଜ ସ୍ଥିତ ବାସଭବନ ଉପରେ ଇଡିର ଚଢାଉ ସମୟରେ ଏକ ଲଫପା ମିଳିଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଖାତା ସଂପର୍କିତ ଚେକ୍ ବୁକ୍ ଥିଲା। ଦୁଇଟି ଚେକ୍ ବୁକରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ମଧ୍ୟ ରହିଥିବା କୁହାଯାଇଛି। ଏହା ବାଦ ପ୍ରେମ ପ୍ରକାଶଙ୍କ ହରମୁ ସ୍ଥିତ ବାସଭବନରେ ଚଢାଉ ସମୟରେ ଆଲମାରୀରୁ ୨ଟି ଏକେ-୪୭ ଏବଂ ୬୦ ଗୁଳି ମିଳିଥିଲା। କୁହାଯାଉଛି ଏହି ହତିଆର ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷାରେ ମୁତୟନ ଦୁଇ ଜଣ କନଷ୍ଟେବଲଙ୍କ।

ନିକଟରେ ହୋଇଥିବା ଖୁଲାସାରୁ ଜଣା ପଡିଛି ଯେ, ବିଚାର ବିଭାଗୀୟ ହାଜତରେ ଚିକିତ୍ସାଧୀନ ଥିବା ପଙ୍କଜ ମିଶ୍ର ଲଗାତାର ଅଧିକାରୀଙ୍କ ଯୋଗାଯୋଗରେ ଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ଅଧିକାରୀଙ୍କୁ ଧମକାଉଥିଲା। ଇଡି ସାହିବଗଞ୍ଜ ସହିତ ଅନ୍ୟ ଜିଲ୍ଲାରେ ବେଆଇନ ଖନନ ଏବଂ ମନି ଲଣ୍ଡ୍ରିଂ ଅଭିଯୋଗରେ ଜୁଲାଇ ୧୯ରେ ପଙ୍କଜ ମିଶ୍ରଙ୍କୁ ଗିରଫ କରିଥିଲା। ପଙ୍କଜଙ୍କ ଉପରେ ବେଆଇନ ଖନନ ଜରିଆରେ ୪୨ କୋଟି ଟଙ୍କାର ମନି ଲଣ୍ଡ୍ରିଂ ଅଭିଯୋଗ ହୋଇଛି। ତାଙ୍କ ଗିରଫଦାରୀ ପରେ ଅଧିକାରୀଙ୍କ ବୟାନ ଆଧାରରେ ଇଡି ଜଣାଇଛି ଯେ, ରାଜ୍ୟରେ ୧୦୦୦ କୋଟିରୁ ଅଧିକ ଟଙ୍କାର ବେଆଇନ ଖନନ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଇଡି ଦ୍ଵାରା ସମନ ଜାରି ପରେ ମୁଖ୍ୟ ବିରୋଧୀ ଦଳ ତଥା ବିଜେପି ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି। ଗୋଡାରୁ ଲୋକସଭା ସାଂସଦ ନିଶିକାନ୍ତ ଦୁବେ ଏହି ଖବର ସଂପର୍କିତ ଖବରକାଗଜର କଟିଂ ସେୟାର କରି ଲେଖିଛନ୍ତି ଏବେ ଆଉ କଣ ବାକି ରହିଲା ? ବିଜେପି ବିଧାୟକ ଦଳର ନେତା ବାବୁଲାଲ ମାରାଣ୍ଡି ମଧ୍ୟ ଟ୍ଵିଟ୍ କରିଛନ୍ତି। ସେ ଲେଖିଛନ୍ତି, ଭଗବାନ ଶ୍ରୀକୃଷ୍ଣ ଅହଙ୍କାରୀ ଶିଶୁପାଳଙ୍କ ୧୦୦ ଭୁଲ୍ କ୍ଷମା କରିଥିଲେ। ବିଧିର ଏହି ନିୟମ ରହିଛି ଯେ, ଯେବେ ଆପଣଙ୍କ ପାପର କଳସ ଭରିଯାଏ, ତେବେ ଉପରବାଲାଙ୍କ ଚକ୍ର ଚାଲିବା ଆରମ୍ଭ ହୋଇଥାଏ।

Get real time updates directly on you device, subscribe now.