fbpx

FIH Men’s PRO Leagueରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଟିମ ଇଣ୍ଡିଆ: ୭-୪ରେ ମ୍ୟାଚ ଉପରେ କବଜା

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ବାଜିଛି ଭାରତର ବିଜୟ ଧ୍ୱନୀ । କଳିଙ୍ଗ ଷ୍ଟାଡିୟମରୁ ଏହି ବିଜୟ ଧ୍ୱନି ସାରା ଭାରତରେ ପ୍ରକମ୍ପିତ ହୋଇଛି । ଦମଦାର କମବ୍ୟାକ କରି ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି ଟିମ ଇଣ୍ଡିଆ । ପ୍ରଥମ ପର୍ଯ୍ୟାୟରେ ଏକ ବୃହତ ବିଜୟ ସହ ଦଳ ଯାତ୍ରା ଆରମ୍ଭ କରିଛି । ଏକଦା ୧-୩ରେ ପଛରେ ରହିଥିବା ଆକ୍ରମକ ଅନ୍ଦାଜରେ କମବ୍ୟାକ କରି ବିଜୟ ହାସଲ କରିଛି ଭାରତୀୟ ଦଳ । ଶେଷ ୩ କ୍ୱାର୍ଟରରେ ୨ଟି ଲେଖାଏଁ ଗୋଲ କରି ମ୍ୟାଚ ଉପରେ କବଜା କରିଛି ଘରୋଇ ଦଳ ।

ଏଫଆଇଏଚ ପୁରୁଷ ପ୍ରୋ ଲିଗ୍ ରେ ଆଜି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଆକ୍ରମକ ଖେଳ ଦେଖାଇ ନ୍ୟୁଜିଲାଣ୍ଡକୁ ୭-୪ରେ ପରାସ୍ତ କରିଛି ଟିମ ଇଣ୍ଡିଆ । ପ୍ରଥମ ୧୫ ମିନିଟରେ ଦଳର ସ୍କୋର ୧-୩ରେ ରହିଥିଲା । କିନ୍ତୁ ମ୍ୟାଚ ଉପରେ ନ୍ୟୁଜିଲାଣ୍ଡ ଭାରୀ ପଡିବା ପୂର୍ବରୁ କମବ୍ୟାକ କରିଛି ଟିମ ଇଣ୍ଡିଆ । ଶେଷ ୩ଟି କ୍ୱାର୍ଟରରେ ୨ଟି ଲେଖାଏଁ ଗୋଲ କରି ମ୍ୟାଚରେ ଦଳ ବିଜୟ ହାସଲ କରିଛି । ଦ୍ୱିତୀୟ କ୍ୱାର୍ଟରରୁ ଆକ୍ରମକ ଅନ୍ଦାଜରେ ଖେଳ ଆରମ୍ଭ କରିଥିଲା ଟିମ ଇଣ୍ଡିଆ । ଏହି ମ୍ୟାଚରେ ଅଧିନାୟକ ହରମନପ୍ରୀତ ସିଂହ (୭ ଏବଂ ୧୯ ମିନିଟ-ପେନାଲ୍ଟି କର୍ଣ୍ଣର), କାର୍ତ୍ତି ସେଲବମ୍(୧୭ ଏବଂ ୩୮ ମିନିଟ), ରାଜ କୁମାର ପାଲ(୩୧ ମିନିଟ), ସୁଖଜୀତ ସିଂହ(୫୦ ମିନିଟ) ଏବଂ ଯୁଗରାଜ ସିଂହ(୫୩ ମିନିଟ) ଗୋଲ ବର୍ଷା କରିଛନ୍ତି ।

ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ୪ ଟି ଗୋଲ କରିବାରେ ସଫଳ ହୋଇଛି । ନ୍ୟୁଜିଲାଣ୍ଡ ତରଫରୁ ସାଇମନ୍ ଚାଇଲ୍ଡ, ସାମ୍ ଲେନ୍, ସ୍ମିଥ ଜେକ ଏବଂ ନିକ ଉଡ୍ସ ଗୋଟିଏ ଲେଖାଏଁ ଗୋଲ ହାସଲ କରିଛନ୍ତି । କିନ୍ତୁ ଦଳକୁ ମ୍ୟାଚ ଜିତାଇବାରେ ସଫଳ ହୋଇ ପାରି ନାହାନ୍ତି ନ୍ୟୁଜିଲାଣ୍ଡର ଖେଳାଳି । ତେବେ ଏହି ମ୍ୟାଚରେ ବିଜୟ ସହ ଟୁର୍ଣ୍ଣମେଣ୍ଟରେ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.